ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସରଙ୍କ ପରଲୋକ, ମାଓବାଦୀଙ୍କ ସହ ଲିଙ୍କ୍‌ ଥିବା ଅଭିଯୋଗରେ ହୋଇଥିଲେ ଗିରଫ

Published By : Prameya-News7 Bureau | October 12, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଜି.ଏନ ସାଈବାବାଙ୍କ ପରଲୋକ। ଶନିବାର ଏନଆଇଏମଏସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରତିବନ୍ଧିତ ମାଓ ସଂଗଠନ ସିପିଆଇ ସହ ଲିଙ୍କ୍‌ ଥିବା ଅଭିଯୋଗରେ ୨୦୧୪ରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ୨୦୨୪ରେ ତାଙ୍କୁ ଦୋଷ ମୁକ୍ତ କରିଥିଲେ ବମ୍ବେ ହାଇକୋର୍ଟ। ପ୍ରାୟ ୧୪ ଥର ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା। 

କିଏ ସାଈବାବା ?

ଆନ୍ଧ୍ର ପ୍ରଦେଶର ଏକ ଗରିବ ପରିବାରରେ ଜନ୍ମ ନେଇଥିବା ଜି.ଏନ ସାଈବାବା ୯୦ ପ୍ରତିଶତ ଶାରୀରିକ ଭାବେ ଅକ୍ଷମ। ୨୦୦୩ରେ ସେ ଦିଲ୍ଲୀ ଆସିବା ପୂର୍ବରୁ ତାଙ୍କ ପାଖରେ ହ୍ବିଲଚେୟାର କିଣିବାକୁ ମଧ୍ୟ ଟଙ୍କା ନଥିଲା। କିନ୍ତୁ ପାଠ ପଢ଼ାରେ ସେ ସବୁବେଳେ ଆଗରେ ଥିଲେ। ତାଙ୍କର ପ୍ରେମ ବିବାହ ହୋଇଥିଲା। ତାଙ୍କ ପତ୍ନୀ ବସନ୍ତଙ୍କୁ ସେ ଏକ କୋଚିଂ କ୍ଲାସରେ ଭେଟିଥିଲେ। ଅଖିଳ ଭାରତୀୟ ପିପୁଲ୍ସ ରେଜିଷ୍ଟାନ୍ସ (ଏଆଇପିଆରଏଫ)ର ଜଣେ କର୍ମୀ ଭାବରେ ସେ କାଶ୍ମୀର ଏବଂ ପୂର୍ବୋତ୍ତରରେ ମୁକ୍ତି ଆନ୍ଦୋଳନ ସମର୍ଥନରେ ଦଳିତ ଏବଂ ଆଦିବାସୀଙ୍କ ଅଧିକାର ପାଇଁ ପ୍ରଚାର କରିବା ପାଇଁ ୨ ଲକ୍ଷ କିମିରୁ ଅଧିକ ଯାତ୍ରା କରିଥିଲେ।

ତେବେ ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ସନ୍ଦେହରେ ୨୦୧୪ରେ ଗିରଫ କରାଯାଇଥିଲା। ୨୦୧୪ ମେ ୯ରେ ଗିରଫ ହେବା ପୂର୍ବରୁ ସାଈବାବା ଦିଲ୍ଲୀ ୟୁନିଭର୍ସିଟିର ରାମ ଲାଲ କଲେଜରେ ଇଂରାଜୀ ପ୍ରଫେସର ଥିଲେ। ହେଲା ତାଙ୍କ ଉପରେ ଲାଗିଥିବା ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗକୁ ମିଥ୍ୟା ବୋଲି କହିଆସୁଥିଲେ। ୨୦୨୧ରେ ତାଙ୍କୁ ପ୍ରଫେସର ପଦରୁ ହଟାଇଦିଆଯାଇଥିଲା। ତେବେ ୨୦୧୭ରେ ଗଢ଼ଚିରୋଲୀ ସେଶନ କୋର୍ଟ ଅନ୍ୟ ୫ ଅଭିଯୁକ୍ତ- ହେମ ମିଶ୍ର, ମେହଶ ତିର୍କୀ, ବିଜୟ ତିର୍କୀ, ନାରାୟଣ ସାଙ୍ଗଲୀକର, ପ୍ରଶାନ୍ତ ରାହୀ ଏବଂ ପାଣ୍ଡୁ ନେରୋଟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

ତେବେ ମାମଲାର ବିଚାରକ୍ରମେ ଚଳିତ ବର୍ଷ ମାର୍ଚ୍ଚ ୫ରେ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ସାଈବାବା ଏବଂ ଅନ୍ୟ ୫ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଥିଲେ। କୋର୍ଟ ତାଙ୍କର ସଶ୍ରମ କାରାଦଣ୍ଡ ରଦ୍ଦ କରିଥିଲେ। ଏହାରି ମଧ୍ୟରେ ଜଣେ ଅଭିଯୁକ୍ତ ପାଣ୍ଡୁ ନରୋଟଙ୍କ ମୃତ୍ୟୁ ହୋଇସାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.