ଭୁବନେଶ୍ଵର: ଓଡିଶାର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି। ବିଧାନସଭାର ଆଉ ୧୬ ସିଟ୍ ଏବଂ ଲୋକସଭାରେ ୩ଟି ସିଟ୍ରେ ଦଳ ପ୍ରାର୍ଥୀ ଘୋଷଣା କରିଛି। କେନ୍ଦୁଝର ଲୋକସଭାରେ ଦଳ ପ୍ରାର୍ଥୀ ବଦଳାଇଛି। ଦଳରେ ମିଶିଥିବା ନେତାଙ୍କୁ ପୁରସ୍କାର ସ୍ଵରୂପ ଟିକେଟ୍ ଦେଇଛି କଂଗ୍ରେସ। ଏହା ସହିତ ବିଧାନସଭା ଟିକେଟ୍ ଘୋଷଣାରେ ବିଜେଡି ଓ ବିଜେପିଠୁ ଆଗରେ ରହିଛି କଂଗ୍ରେସ।
Also read: ବଡଚଣାରୁ ଅମର ଶତପଥୀ ଆଉଟ୍, ବର୍ଷା ପ୍ରିୟଦର୍ଶିନୀ ଇନ୍, କଟିଲା ୫ ବିଧାୟକଙ୍କ ଟିକେଟ୍
ଘୋଷିତ ପ୍ରାର୍ଥୀ ତାଲିକା ଅନୁସାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଆସନରୁ ଦଳ ପ୍ରଥମେ ମନୋଜ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଏଠାରେ ପ୍ରାର୍ଥୀ ବଦଳାଇ ଶରତଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜେଡି ଛାଡି କଂଗ୍ରେସରେ ମିଶିଥିବା ସିପ୍ରା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ାରୁ ଟିକେଟ୍ ମିଳିଛି। ନିକଟରେ ବିଜେପି ଛାଡି ଘରବାହୁଡ଼ା କରିଥିବା ସୋନାଲି ସାହୁଙ୍କୁ କଂଗ୍ରେସ ନିରାଶ କରିନି। ସୋନାଲିଙ୍କୁ ଖୋର୍ଦ୍ଧାରୁ ଟିକେଟ୍ ମିଳିଛି। ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦଳ ନିମାପଡ଼ାରୁ ପ୍ରାର୍ଥୀ କରିଛି। ଆଜିର ପ୍ରାର୍ଥୀ ତାଲିକାକୁ ମିଶାଇ କଂଗ୍ରେସ ୨୦ଟି ଲୋକସଭା ସିଟ୍ରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ଗୋଟିଏ ଲୋକସଭା ସିଟ୍ ବାକି ରହିଛି। ସେହିପରି ବିଧାନସଭାରେ ଦଳ ୧୪୬ଟି ସିଟ୍ରେ ପ୍ରାର୍ଥୀ ଦେଇ ଦେଇଛି। ଆଉ ମାତ୍ର ଗୋଟିଏ ସିଟ୍ରେ ପ୍ରାର୍ଥୀ ଘୋଷଣା ବାକି ରହିଛି।
ଲୋକସଭାର ଘୋଷିତ ୩ଟି ସିଟରେ ସମ୍ବଲପୁର ଲୋକସଭାରୁ ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଆସିକାରୁ ଦେବକାନ୍ତ ଶର୍ମାଙ୍କୁ ଦଳ ପ୍ରାର୍ଥୀ କରିଛି। କେନ୍ଦୁଝର ଲୋକସଭାରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ମୋହନ ହେମ୍ବ୍ରମଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ମଇଦାନକୁ ଓହ୍ଲାଇଛି।
ବିଧାନସଭାରେ ଝାରସୁଗୁଡାରୁ ଅମିତା ବିଶ୍ଵାଳ, ବଡ଼ସାହିରୁ କ୍ଷୀରୋଦ ପାତ୍ର, ସୁକିନ୍ଦାରୁ ବିଭୁ ଭୂଷଣ ରାଉତ, କଣ୍ଟାମାଲରେ ମନୋଜ ଆଚାର୍ଯ୍ୟଙ୍କ ଜାଗାରେ ଶରତ, କେନ୍ଦ୍ରାପଡ଼ାରୁ ସିପ୍ରା ମଲ୍ଲିକ, ରାଜନଗରରୁ ଅଶୋକ ପ୍ରତିହାରୀ, ମହାକାଳପଡ଼ାରୁ ଲୋକନାଥ ମହାରଥୀ, ନିମାପଡ଼ାରୁ ସିଦ୍ଧାର୍ଥ ରାଉତରାୟ, ପିପିଲିରୁ ଜ୍ଞାନରଂଜନ ପଟ୍ଟନାୟକ, ଜୟଦେବରୁ ଜୟନ୍ତ ଭୋଇଙ୍କ ସ୍ଥାନରେ କୃଷ୍ଣ ସଗରିଆ, ଖୋର୍ଦ୍ଧାରୁ ସୋନାଲି ସାହୁ, ଚିଲିକାରୁ ପ୍ରଦୀପ ସ୍ବାଇଁ, ଖଣ୍ଡପଡ଼ାରୁ ମନୋଜ ପ୍ରଧାନ, ଦଶପଲ୍ଲାରୁ ନକୁଳ ନାୟକ, କବିସୂର୍ଯ୍ୟନଗରରୁ ସଂଜୟ କୁମାର ମଣ୍ଡଳ ଓ ଗୋପାଳପୁରରୁ ଶ୍ୟାମସୁନ୍ଦର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି।