ମଧ୍ୟପ୍ରଦେଶରେ ରହିଛି 'ହେମାମାଳିନୀ' ଡ୍ୟାମ, ଜାଣନ୍ତୁ କାହିଁକି ଏହି ନାମରେ ପରିଚିତ

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲି ୧୮।୦୬: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ନୀଳକଣ୍ଠେଶ୍ୱର ମନ୍ଦିର, ଉଦୟଗିରିର ଗୁମ୍ଫା ସମେତ ଅନେକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ରହିଛି ଯେଉଁଠାରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥାଏ । ତେବେ ବିଦିଶାରେ ଏକ ଏଭଳି ଡ୍ୟାମ୍‌ ରହିଛି ଯାହାକି ଲୋକଙ୍କ ମଧ୍ୟରେ ‘ହେମାମାଳିନୀ ଡ୍ୟାମ୍‌’ ଭାବେ ପ୍ରସିଦ୍ଧ । ଐତିହାସିକ ଗୋବିନ୍ଦ ଦେବବିୟା କହିଛନ୍ତି, ବେତୱା ନଦୀରେ ନିର୍ମିତ ଏହି ଡ୍ୟାମ୍‌ର ମୂଳ ନାମ ହେଉଛି କାଳିଦାସ ଡ୍ୟାମ୍‌ । 

ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ କେବେହେଲେ ଏଠାକୁ ଆସିନାହାନ୍ତି, କିନ୍ତୁ ଲୋକଙ୍କ ମଧ୍ୟରେ ଏହା ‘ହେମାମାଳିନୀ ଡ୍ୟାମ୍‌’ ଭାବେ ବିଦିତ। ଏହାପଛରେ ଏକ କାହାଣୀ ରହିଛି । ଏଠାକାର ଜଣେ ସ୍ଥାନୀୟ ବ୍ୟକ୍ତି ପ୍ରାୟତଃ ମୁମ୍ବାଇ ଯିବାଆସିବା କରୁଥିଲେ । ସେ ଥରେ ଲୋକଙ୍କୁ କହିଲେ ଯେ, ମୁଁ ଅଭିନେତ୍ରୀ ହେମାମାଳିନୀଙ୍କ ସହିତ ଯୋଗାଯୋଗ କରିଛି । ସେ ଏଠାକୁ ଆସି ଏକ ନୃତ୍ୟ କାର୍ଯ୍ୟକ୍ରମ କରିବେ । ହେମାମାଳିନୀଙ୍କର ଆସିବା ତାରିଖ ମଧ୍ୟ ସେ ଘୋଷଣା କରିଦେଲେ । ସେହି ବ୍ୟକ୍ତିଙ୍କର ଦାବି ମୁତାବକ ସହରରେ ଜୋରସୋରରେ ପ୍ରଚାର କରାଗଲା । 

୨୦ ଟଙ୍କା ହିସାବରେ ଟିକଟ ମଧ୍ୟ ବିକ୍ରି ହେଲା । ତେବେ କାର୍ଯ୍ୟକ୍ରମକୁ ମାତ୍ର ୩ ଦିନ ବାକି ଥିବାବେଳେ ହେମାମାଳିନୀ ଆସିବେ ନାହିଁ ବୋଲି ସେ କହିଲେ । ଏଥିସହ କାର୍ଯ୍ୟକ୍ରମ ରଦ୍ଦ କରାଯିବା ନେଇ ଘୋଷଣା କରିଥିଲେ । ଯେଉଁମାନେ ଟିକଟ କିଣିଥିଲେ ସେମାନଙ୍କୁ ତାଙ୍କର ଟଙ୍କା ଫେରାଇ ଦିଆଯାଇଥିଲା । ହେମାମାଳିନୀ ତ ଆସିଲେ ନାହିଁ, କିନ୍ତୁ ସେବେଠାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଡ୍ୟାମ୍‌ଟି ‘ହେମାମାଳିନୀ ଡ୍ୟାମ୍‌’ ଭାବେ ପରିଚିତ ହୋଇଗଲା । ଲୋକମାନେ କାଳିଦାସ ଡ୍ୟାମ୍‌ ଅପେକ୍ଷା ‘ହେମାମାଳିନୀ ଡ୍ୟାମ୍‌’ କହିଲେ ତୁରନ୍ତ ଏହି ସ୍ଥାନକୁ ବୁଝିଯାଉଛନ୍ତି ବୋଲି ଦେବରିୟା କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.