ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣା : ପରିବାର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

Published By : Prameya-News7 Bureau | July 25, 2024 IST

ଭୁବନେଶ୍ବର ୨୫ରାଜଧାନୀରେ ସାମ୍ବାଦିକାଙ୍କ ମୃତ୍ୟୁ ଘଟଣାରେ ସସ୍‌ପେନ୍ସ ଜାରି ରହିଥିବା ବେଳେ ସ୍ୱାମୀକୁ ବାନ୍ଧିଛି ପୋଲିସ । ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଛି ପୋଲିସ I ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି I ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଛି ପୋଲିସ । ଦଫା ୮୦- ଯୌତୁକ ନିର୍ଯାତନା, ଦଫା ୧୦୮- ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା, ଦଫା ୧୦୩- ହତ୍ୟାକାଣ୍ଡ ସହ ଏକାଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଦଫା ଲାଗିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଭୁବନେଶ୍ବରରେ ରେଳଧାରଣାରୁ ଜଣେ ସାମ୍ବାଦିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।  ରେଳବାଇ ପୋଲିସ ଖଣ୍ଡବିଖଣ୍ଡିତ ମୃତଦେହ  ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।  ମୃତ୍ୟୁ ପୂର୍ବରୁ ସାମ୍ବାଦିକା ସୋସିଆଲ୍‌  ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଉକ୍ତ  ଭିଡିଓରେ ସେ ତାଙ୍କ ସ୍ୱାମୀଙ୍କ  ନିର୍ଯାତନା ବିଷୟରେ ଜଣାଇଛନ୍ତି । ତାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ସାମ୍ବାଦିକା ମଧୁସ୍ମିତା ପରିଡାଙ୍କ ଘର ଗଞ୍ଜାମ ଭଞ୍ଜନଗର  ତନରଡ଼ା ଅଞ୍ଚଳରେ । ସେ ସ୍ୱାମୀଙ୍କ ସହ ଧଉଳି  ଥାନା ଲିଙ୍ଗିପୁର କଲୋନୀରେ ରହୁଥିଲେ । ସେ  ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ଡିଜିଟାଲ୍‌  ମିଡିଆ ସଂସ୍ଥାରେ କାମ କରୁଥିଲେ । ଗତ ମାର୍ଚ୍ଚ  ମାସରେ ସେ ଭଞ୍ଜନଗରର ଶ୍ରୀଧର ଜେନାଙ୍କୁ  ବିବାହ କରିଥିଲେ । ଶ୍ରୀଧର ଏୟାରଫୋର୍ସର  ଜଣେ କର୍ମଚାରୀ । ଏବେ ତାଙ୍କର ରାଜସ୍ଥାନରେ  ପୋଷ୍ଟିଂ ହୋଇଛି । ମଧୁସ୍ମିତାଙ୍କୁ ବାହା ହେବା  ପୂର୍ବରୁ ଶ୍ରୀଧର ଧଉଳି ଅଞ୍ଚଳରେ ଜଣେ  ବ୍ୟବସାୟୀଙ୍କ ଝିଅକୁ ବିବାହ କରିଥିଲେ । ହେଲେ  ନିର୍ଯାତନା ଦେବାରୁ ସେ ଶ୍ରୀଧରଙ୍କୁ ଛାଡ଼ପତ୍ର  ଦେଇଥିଲେ । ପ୍ରଥମ ପତ୍ନୀଙ୍କୁ ଶ୍ରୀଧର ଛାଡ଼ପତ୍ର  ଦେବାର ୨ ବର୍ଷ ପରେ ପୁଣି ବିବାହ କରିବାକୁ  ମନ କରିଥିଲେ । ଏହି ସମୟରେ ସୋସିଆଲ୍‌  ମିଡ଼ିଆରେ ମଧୁସ୍ମିତାଙ୍କ ସହ ଯୋଡ଼ି ହୋଇଥିଲେ ।  କିଛି ଦିନ ପ୍ରେମ ପରେ ଉଭୟଙ୍କ ପରିବାର  ଲୋକଙ୍କ ସହମତିରେ ବାହାଘର ହୋଇଥିଲା ।  ଗତ ମାର୍ଚ୍ଚ ଶେଷ ସପ୍ତାହରେ ବାହାଘର  ହୋଇଥିଲା । ବାହାଘରର ୨ ମାସ ସବୁ କିଛି  ଠିକ୍‌ଠାକ୍‌ ଥିଲା । ମେ’ ମାସ ୧ ତାରିଖ ରାତିରେ  ମଧୁସ୍ମିତା ଜାଣିବାକୁ ପାଇଥିଲେ ତାଙ୍କ ସ୍ୱାମୀ  ଶ୍ରୀଧରଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ  ରହିଛି । ତେବେ ସେ କିଛି ନ କହି ତଥ୍ୟ ପ୍ରମାଣ  ଯୋଗାଡ଼ରେ ଲାଗି ପଡ଼ିଥିଲେ । ଏହି ସମୟରେ  ଜାଣିବାକୁ ପାଇଥିଲେ ୨ ଜଣ ଯୁବତୀଙ୍କ ସହ  ତାଙ୍କର ସମ୍ପର୍କ ରହିଛି । ଏହାରି ଭିତରେ  ଶ୍ରୀଧରଙ୍କ ଛୁଟି ସରି ଯାଇଥିଲା । ସେ ରାଜସ୍ଥାନ  ପଳାଇଥିଲେ । ହେଲେ ସେଠାରେ ପହଞ୍ଚିଲା  ପରେ ମଧୁସ୍ମିତାଙ୍କୁ ଫୋନ୍‌ କରି ନଥିଲେ ।  ମଧୁସ୍ମିତା ତାଙ୍କୁ ଫୋନ୍‌ କଲେ ଶ୍ରୀଧର ତାଙ୍କୁ  ଅସଭ୍ୟ ଭାଷାରେ ଗାଳି ଦିଅନ୍ତି । ଏମିତି ସେ  ଛାଡପତ୍ର ଦେବେ ବୋଲି ଧମକ ଦିଅନ୍ତି ।  ଗତ ୧୨ ତାରିଖରେ ଶ୍ରୀଧର ଘରକୁ  ଆସିଥିଲେ । ଅନୈତିକ ପ୍ରେମ ସମ୍ପର୍କକୁ  ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।  ଶ୍ରୀଧର ତାଙ୍କୁ ମାଡ଼ ମାରିଥିଲେ । ଘର ଲୋକ  ବୁଝାସୁଝା କରିଥିଲେ । ହେଲେ ସୋମବାର  ରାତିରେ ପୁଣି ମଧୁସ୍ମିତାଙ୍କୁ ମାଡ଼ ମାରିଥିଲେ  ଶ୍ରୀଧର । ଏନେଇ ମଧୁସ୍ମିତା ଧଉଳି ଥାନାକୁ  ଯାଇଥିଲେ । ଧଉଳି ଥାନା ପୋଲିସ ଉଭୟଙ୍କୁ  ବୁଝାସୁଝା କରି କାମ ସାରି ଦେଇଥିଲା ।  ବୁଧବାର ସେ ଅଫିସ୍‌ ଯାଇନଥିଲେ । ପୂର୍ବ କଥାକୁ ନେଇ ଅପରାହ୍ନ ୫ଟା ବେଳେ ପୁଣି  ଶ୍ରୀଧର ତାଙ୍କୁ ମାଡ଼ ମାରିଥିଲେ । ଏହାପରେ  ମଧୁସ୍ମିତା ଘର ଛାଡ଼ି ପଳାଇଥିଲେ । ଆଉ  ଜୀବନ ହାରିବେ ବୋଲି କହିଥିଲେ । ଏହା ଶୁଣି ଶ୍ରୀଧର ପ୍ରଥମ ଅଣଦେଖା କରିଥିଲେ । କିଛି  ସମୟରେ ସେ ମଧୁସ୍ମିତାଙ୍କୁ ଫୋନ୍‌ କରିଥିଲେ ।  ସେ ଫୋନ୍‌ ଉଠାଇ ନଥିଲେ । କିଛି ଉପାୟ  ନ ପାଇ ସେ ଧଉଳି ଥାନାକୁ ଯାଇଥିଲେ ।  ଧଉଳି ଥାନା ପୋଲିସ୍‌ ମଧ୍ୟ ମଧୁସ୍ମିତାଙ୍କୁ ଫୋନ୍‌  କରିଥିଲେ । ହେଲେ ସେ ଉଠାଇ ନଥିଲେ ।  ପୋଲିସ୍‌ ଶ୍ରୀଧରକୁ ମଧୁସ୍ମିତାଙ୍କର ମୋବାଇଲ୍‌  ଲୋକେସନ୍‌ ଦେଇ କାମ ସାରି ଦେଇଥିଲେ ।  ଲୋକେସନ୍‌ ନେଇ ମାଉସୀମା’ ବ୍ରିଜ  ତଳକୁ ଆସିଥିଲେ ଶ୍ରୀଧର । ସେତେବେଳକୁ  ମଧୁସ୍ମିତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା  କରି ସାରିଥିଲେ । ଟ୍ରେନ୍‌ ତାଙ୍କୁ ପାଖାପାଖି  ୫ଶହ ମିଟର ଘୋଷାଡ଼ି ନେଇଥିଲା ।  ଖବର ପାଇ ଘଟଣାସ୍ଥଳରେ ଜିଆରପି ଏବଂ  କ୍ୟାପିଟାଲ ଥାନା ପୋଲିସ୍‌ ପହଞ୍ଚିଥିଲା । ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରି ପୋଲିସ୍‌ ବ୍ୟବଚ୍ଛେଦ  ପାଇଁ ପଠାଇଛି । ଏହି ସମୟରେ ମଧୁସ୍ମିତାଙ୍କ  ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି  ଶ୍ରୀଧରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ବେଳେ ଏବେ ତାଙ୍କୁ ଗିରଫ କରିଛି ।

You Can Read:

ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ଜଳସ୍ତର ବଢିବାରୁ ନିଷ୍ପତ୍ତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.