ନାୟବ ସିଂହ ସୈନି ହେବେ ହରିୟାଣା ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ବାଜିଲା ମୋହର

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬/୧୦: ହରିୟାଣାରେ ପୁଣିଥିରେ ସରକାର ଗଢିବ ବିଜେପି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂହ ସୈନି । ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ଗେରୁଆ ଦଳ ଗଢିବ ସରକାର । ନାୟବ ସିଂହ ସୈନି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । କାରଣ ବିଜେପି ବିଧାୟକ ଦଳ ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି । 

ବୈଠକରେ ବିଧାୟକ ଦଳର ନେତା ଭାବରେ ତାଙ୍କ ନାଁରେ ବାଜିଛି ମୋହର । ଆସନ୍ତାକାଲି ଅର୍ଥାତ୍ ୧୭ରେ ସେ ନେବେ ଶପଥ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପି ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେ ନେତା ଭାବରେ ନିର୍ବାଚିତ ହୋଇଥିଲେ । ବୈଠକରେ ହରିୟାଣା ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସହ-ଦାୟିତ୍ୱରେ ଥିବା ବିପ୍ଲାବ ଦେବ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ । 


ଏହି ବୈଠକ ପାଇଁ ଅମିତ ଶାହା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା । ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପିର ଅନିଲ ବିଜ ଏବଂ ରାଓ ଇନ୍ଦରଜିତ ସିଂ ମଧ୍ୟ ସିଏମ ପଦ ପାଇଁ ଦାବି କରିଥିଲେ । 

କିନ୍ତୁ ଦଳ ପୁଣି ଥରେ ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି । ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଅନିଲ ବିଜ ଏବଂ ମନୋହର ଲାଲ ଖଟ୍ଟର ସାଇନିଙ୍କ ନାମ ପ୍ରସ୍ତାବ ଦେଇଥିଲେ । ନିର୍ବାଚନ ସମୟରେ ଅମିତ ଶାହା ନିଜେ ପଞ୍ଚକୁଲାରେ କହିଥିଲେ ଯେ ନାୟବ ସିଂହ ସୈନି  ମୁଖ୍ୟମନ୍ତ୍ରୀ ହେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.