ମାଥିଲିରେ ବ୍ୟାପୁଛି ଝାଡ଼ାବାନ୍ତି, ମୋଟ୍ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ

Published By : Prameya-News7 Bureau | September 14, 2024 IST

ମାଥିଲି ୧୪।୯: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ରେ ଝାଡାବାନ୍ତି ଆତଙ୍କ ଖେଳାଇଛି । ବ୍ଲକର ତୁଳସୀ, ବାରା, କୋପ୍ରା, କର୍ତ୍ତନପାଲି, ଅଟାଳଗୁଡା ଭଳି ଗାଁ ମାନଙ୍କରେ ଝାଡାବାନ୍ତିର ପ୍ରକୋପ ଦେଖିବାକୁ ମିଳିଛି । ସବୁ ଗାଁ ମାନଙ୍କରେ ସ୍ବାସ୍ଥ୍ୟବିଭାଗ ତରଫରୁ ଟିମ୍‌ ସଜାଗ ରହି ରୋଗୀଙ୍କର ଚିକିତ୍ସା କରୁଥିବା ଦେଖାଦେଇଛି । ଏପରିକି ଦୁର୍ଗମ ତୁଳସୀ ପାହାଡରେ ଡାକ୍ତରୀ ଟିମ୍‌ ଦୁଇ ଦିନ ହେଲା କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି । ଝାଡାବାନ୍ତିର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଖାଦ୍ୟ ବିଷାକ୍ତକରଣ ଯୋଗୁଁ ଏପରି ହେଉଥିବା ସନ୍ଦେହ କରାଯାଉଛି । 

ତେବେ ପ୍ରଶାସନ ତରଫରୁ ଝାଡାବାନ୍ତିଜନିତ ମୃତ୍ୟୁକୁ ଖଣ୍ଡନ କରାଯାଇଛି । କିନ୍ତୁ ଭିନ୍ନ ଭିନ୍ନ ଗାଁରେ ମୋଟ୍ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି । ତେବେ ଗତ ରାତିରେ ଲୁଲେରରେ ଜଣେ ମହିଳା ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ବାସ୍ଥ୍ୟବିଭାଗ ତରଫରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ।

ସେପଟେ ଏ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏବଂ ମାଲକାନଗିରି ସିଡିଏମଓଙ୍କ ସହ ଆଲୋଚନା କରିଛି । ଶୁକ୍ରବାର ମାଲକାନଗିରିରୁ ଗୋଟିଏ ଡାକ୍ତରୀ ଟିମ୍ ଝାଡାବାନ୍ତି ହୋଇଥିବା ଅଞ୍ଚଳକୁ ଯାଇଛନ୍ତି । ଡାକ୍ତରୀ ଟିମ୍ ଫେରିଲା ପରେ ରିପୋର୍ଟ ଦେବେ । ଗଣମାଧ୍ୟମରେ ଆସିଥିବା ଖବର ଉପରେ ମଧ୍ୟ ତର୍ଜମା କରାଯାଉଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

You Can Read:

୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିସାରିଲେଣି : ଉପ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.