‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | February 05, 2025 IST

ଖୋର୍ଦ୍ଧା ୫‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୋର୍ଦ୍ଧା ଜଙ୍କିଆରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଯୋଜନା ଶୁଭାରମ୍ଭ ଅବସରରେ ପାଇକ ବିଦ୍ରୋହର ବୀର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ । 

ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ବୀର ପାଇକଙ୍କ ମାଟି । ପ୍ରତି ଗାଁକୁ ବିକଶିତ କରିବା ପାଇଁ ଏହି ଯୋଜନା ଶୁଭାରମ୍ଭ କରାଯାଇଛି । ଗାଁ ଓ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ୍ କରିବ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନଗ୍ରସରତା ବିରୋଧରେ ଆରମ୍ଭ ହେବ ଜନ ଆନ୍ଦୋଳନ । ଗ୍ରାମସଭାରେ ଆଲୋଚନା ହୋଇ ସବୁ ନିଷ୍ପତ୍ତି ନିଆଯିବ । ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ଯାଏଁ ଯୋଜନା ଚାଲିବ । ପ୍ରତିବର୍ଷ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ୫ ବର୍ଷ ପାଇଁ ୫ ହାଜର କୋଟି ବ୍ୟୟ ବରାଦ କରାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଅଧିକ ବୃଦ୍ଧି କରାଯିବ । 

କଂକ୍ରିଟ, ପିଚୁ ରାସ୍ତା ତିଆରି ହେବ । ପେଭର ବ୍ଲକ ପଡ଼ିବ । ସେତୁ, କଲଭର୍ଟ ହେବ । କଲ୍ୟାଣ ମଣ୍ଡପ, ମାର୍କେଟ ସେଡ ହେବ । ଗାଁର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଅର୍ଥ ଖର୍ଚ୍ଚ ହେବ । ଗାଁରେ କ୍ରୀଡା ଭିତ୍ତିଭୂମି ମଜଭୁତ ହେବ । ଗ୍ରାମାଞ୍ଚଳ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ କରାଯିବ । ପ୍ରତି ଯୋଜନା ସର୍ବନିମ୍ନ ୩ ଲକ୍ଷ ଟଙ୍କାରୁ ଆରମ୍ଭ ହେବ । ପୂର୍ବ ସରକାର ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ହଜାର ହଜାର ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି । ତେଣୁ ଯେଉଁ ପ୍ରକଳ୍ପ ଗୁଡ଼ିକ ୨୦ ପ୍ରତିଶତ କାମ ହୋଇଥିବ, ସେଗୁଡିକୁ ମଧ୍ୟ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନରେ ସଂପୂର୍ଣ୍ଣ କରାଯିବ ।

ସମସ୍ତ ପଞ୍ଚାୟତର ଜନ ପ୍ରତିନିଧି ମାନଙ୍କୁ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ । ରାଜନୀତିରୁ ଉପରକୁ ଉଠି କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯଦି ଗ୍ରାମାଞ୍ଚଳରେ ବିକାଶ ହେବ ନାହିଁ, ତେବେ ରାଜ୍ୟର ବିକାଶ ଅସମ୍ଭବ । ତେଣୁ ଏହାକୁ ଆଧାର କରି ୨୦୩୬ରେ ସମୃଦ୍ଧ ଓଡ଼ିଶା ପରିକଳ୍ପନା ପାଇଁ ୫୩ ହାଜର ୮୪୫ ରାଜସ୍ୱ ଗାଁ ଗୁଡ଼ିକର ବିକାଶ କରାଯିବ । ଏହିସବୁ ଗ୍ରାମରେ ବିକାଶର ଗଙ୍ଗା ପ୍ରବାହିତ ହେବ । ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢିବ । ସ୍ୱାଧୀନତାର ୭୫ ବର୍ଷ ଭିତରେ ଅନେକ ସରକାର ଶାସନ କରିଛନ୍ତି । କିନ୍ତୁ ପ୍ରଥମ ୬୫ ବର୍ଷ ଯେମିତି ବିକାଶ ହେବ କଥା ହୋଇପାରିନାହିଁ । 

ପୂର୍ବ ସରକାର ମାନେ ବିକାଶ ପାଇଁ ଯେଉଁସବୁ ଯୋଜନା କରିଥିଲେ, ତାହା ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ଵ ନେବା ପରେ ସାରା ଦେଶରେ ବିକାଶ ଆଗକୁ ବଢ଼ି ଚାଲିଛି । ଗତ ୧୦ ବର୍ଷ ଭିତରେ ଘରେ ଘରେ ଶୌଚାଳୟ, ଏଲପିଜି ଗ୍ୟାସ୍ ଯୋଗାଇ ଦେଇଛନ୍ତି ମୋଦି ସରକାର । ଗାଁର ବିକାଶ ତ୍ୱରାନ୍ୱିତ ହୋଇଛି । ପ୍ରତି ଗାଁରେ ପକ୍କା ରାସ୍ତା ତିଆରି ହୋଇଛି । ୬୫ ବର୍ଷ ଭିତରେ ଯାହା ହୋଇନଥିଲା, ତାହା ଗତ ୧୦ ବର୍ଷ ଭିତରେ ପ୍ରତି ଗାଁରେ ବିକାଶ ହୋଇ ପାରିଛି । ୨୦୧୬ ନୀତି ଆୟୋଗଙ୍କ ସହ ଆଲୋଚନା କଥା ମାନେ ପକାଇଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ସେହି ବୈଠକରେ ପରାମର୍ଶ ଦେଇଥିଲେ । ରୂପାନ୍ତରିତ ବିକାଶର ଯାତ୍ରା ଆରମ୍ଭ ହୋଇଥିଲା । ଆଗରୁ ରାସ୍ତା ତିଆରି ହେଉଥିଲା, ହେଲେ ଗୋଟିଏ ବର୍ଷା ହେଲେ ଧୋଇ ହୋଇଯାଉଥିଲା । ହେଲେ ସେ ଯୁଗ ବଦଳିଛି । ମୋଦି ସରକାର କଂକ୍ରିଟ ଓ ପିଚୁ ରାସ୍ତା ତିଆରି କରିଛନ୍ତି । 

ବିଜେପି ସରକାର ଯାହା କୁହେ, କରି ଦେଖାଏ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମାଞ୍ଚଳ ଲୋକ ମଧ୍ୟ ସହର ଭଳି ସୁଖ ସ୍ଵାଚ୍ଛନ୍ଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ୨୪ ବର୍ଷର ସରକାର କେବଳ ସବୁବେଳେ ରାଜନୀତିକୁ ଆଗରେ ରଖି କାମ କରୁଥିଲେ । 5T ଚିନ୍ତାଧାରାରେ କାମ କରୁଥିଲେ । କେବଳ 5T ନାଁରେ ଭୋଟ୍ ବ୍ୟାଙ୍କ ତିଆରି କରିବା ସହ ରାଜନୀତି କରିବା ପାଇଁ ସାଢ଼େ ୪ କୋଟି ଲୋକଙ୍କୁ ଧୋକ୍କା ଦେଲେ । ନିର୍ବାଚନ ଆସିଲେ ନୂଆ ନୂଆ ଯୋଜନା ଆରମ୍ଭ କରୁଥିଲେ ପୂର୍ବ ସରକାର । ଆଉ ନିର୍ବାଚନ ସରିଗଲେ ଯୋଜନା ବନ୍ଦ କରିଦେଉଥିଲେ ।

୨୦୧୮ରେ କାଳିଆ ଯୋଜନା ଆରମ୍ଭ କରିଥିଲେ ପୂର୍ବ ସରକାର । ଏ ଯୋଜନା ଭାରତ ପାଇଁ ଆଇନା ହେବ ବୋଲି କହିଥିଲେ । ପୁରୀ ମାଳତିପାଟପୁରରେ ଶୁଭାରମ୍ଭ କରିଥିଲେ । ଚାଷୀଙ୍କ ଦୁଃଖ ଦୂର ହେବ ବୋଲି କହିଥିଲେ । ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି କହିଥିଲେ ହେଲେ ଯୋଜନା ବନ୍ଦ ହୋଇଗଲା । ୨୦୧୯ ନିର୍ବାଚନ ପରେ ସେ କାଳିଆ ଯୋଜନା କୁଆଡେ ଗଲା ।

୨୦୨୪ ନିର୍ବାଚନ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଆଣିଥିଲେ । ହେଲେ ନିର୍ବାଚନ ପରେ ସେ ଯୋଜନାର ଫାଇଲ ମିଳୁନାହିଁ । କେଉଁ କାମ ପାଇଁ କେତେ ଟଙ୍କା ଯାଉଥିଲା, ତାହାର କିଛି ଆଦି ଅନ୍ତ ମିଳୁନାହିଁ । ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଲୋକଙ୍କୁ ଭୁଆଁ ବୁଲାଇଲେ । ସେଥିପାଇଁ ଲୋକ ଆଜି ସେମାନଙ୍କୁ ସରକାରରୁ ହଟାଇ ବିରୋଧୀ ଦଳର ବସାଇଛନ୍ତି ।

ଏବେ ନିର୍ବାଚନ ନାହିଁ । କିନ୍ତୁ ବିକଶିତ ଗାଁ, ବିକଶିତ ଓଡ଼ିଶା କାର୍ଯକ୍ରମ ଆରମ୍ଭ ହୋଇଛି । ନିର୍ବାଚନକୁ ଆଖି ଆଗରେ ରଖି ଯୋଜନାରେ କରେ ନାହିଁ ବିଜେପି ସରକାର । ଲୋକଙ୍କ ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଦୀର୍ଘ ବର୍ଷ ହେଲା ଲୋକ ପିଇବା ପାଣି ଟିକେ ପାଇନାହାନ୍ତି । ୬୫ ବର୍ଷ କଂଗ୍ରେସ ଶାସନ ଭିତରେ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ହୋଇନଥିଲା । ଓଡ଼ିଶାରେ ୨୪ ବର୍ଷର ସରକାର ଥିବା ପରେ ବି ଲୋକଙ୍କ ଦୁଃଖ ଦୂର ହେଲା ନାହିଁ । ଲୋକ ସରକାରଙ୍କୁ ଭେଟି ପାରିଲେ ନାହିଁ । ୧୬ ବର୍ଷ ଯାଏଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିଲେ ନାହିଁ । ହେଲେ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଶପଥ ନେଲା ପରେ ଅଭିଯୋଗ ପ୍ରକୋଷ୍ଠ ପୁଣି ଖୋଲିଲା ଓ ମୁଖ୍ୟମନ୍ତ୍ରୀ ନିଜେ ରହି ଅଭିଯୋଗ ଶୁଣିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍ : ୧୧ ଛାତ୍ରଛାତ୍ରୀ ଆହତ, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.