ବଢିଲା UPI ଲାଇଟ୍ ସୀମା, ବ୍ୟାଙ୍କ ଓ NBFC ନିମନ୍ତେ ଆସିଲା RBIଙ୍କ ନୂଆ ଗାଇଡଲାଇନ

Published By : Prameya-News7 Bureau | October 09, 2024 IST

ମୁମ୍ବାଇ ୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୌଦ୍ରିକ ନୀତି କମିଟି ବୈଠକର ନିଷ୍ପତ୍ତି ଆସିଯାଇଛି। ଦେଶରେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ୟୁପିଆଇ ଲାଇଟ ଲିମିଟ ବଢାଇଛନ୍ତି ଆରବିଆଇ। ବୁଧବାର ମନିଟାରି ପଲିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ ନନ୍ ବିଜନେସ୍ ଫ୍ଲୋଟିଂ ରେଟ ଲୋନକୁ ନେଇ ବ୍ୟାଙ୍କ ଓ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି)ଙ୍କ ଲାଗି ନୂଆ ଗାଇଡଲାଇନ ଜାରି କରିଛନ୍ତି। 

ଆରବିଆଇ ଗଭର୍ଣ୍ଣର ତାଙ୍କ ଭାଷଣରେ ୟୁପିଆଇ ଲାଇଟ୍ ୱାଲେଟର ଲିମିଟ ବଢାଯାଇଥିବା ଘୋଷଣା କରି ଏହା ୨ ରୁ ୫ ହଜାରକୁ  ବଢିଥିବା କହିଛନ୍ତି। ଏଥି ମଧ୍ୟରେ ସେ କିଛି ବଛାବଛା ଟ୍ରାଞ୍ଜାକ୍ସନରେ ୟୁପିଆଇ ଲିମିଟ ବଢାଇବାକୁ ବି ପ୍ରସ୍ତାବ ଦେଇଛନ୍ତି। ସେହିପରି ନନ ବିଜନେସ୍ ଫ୍ଲୋଟିଂ ରେଟ୍ ନେଇ ବ୍ୟାଙ୍କ ଓ ଏନବିଏଫସିଙ୍କ ନିମନ୍ତେ ମାର୍ଗଦର୍ଶନ ଜାରି କରିଛନ୍ତି। ସେ ସ୍ପଷ୍ଟ ରୂପେ କହିଛନ୍ତି ଏପରି ଋଣ ଉପରେ ଫୋରକ୍ଲୋଜର ଚାର୍ଜ ଓ ପ୍ରିପେମେଣ୍ଟ ପେନାଲ୍ଟି ଅସୁଲ କରାଯାଇ ପାରିବ ନାହିଁ। 

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବ୍ୟାଙ୍କ ଓ ଏନବିଏଫସିଙ୍କ ଆର୍ଥିକସ୍ଥିତି ବେଶ୍ ମଜଭୁତ ଅଛି। ଏଣୁ ଏପରି ସଂସ୍ଥାମାନେ ନିଜନିଜ ସ୍ତରରେ ଏକ୍ସପୋଜରର ଆକଳନ କରନ୍ତୁ। ତେବେ କିଛି ଏନବିଏଫସିଙ୍କ ଗ୍ରୋଥକୁ ନେଇ ଚିନ୍ତା ରହିଥିବା ମଧ୍ୟ ସେ କହିଛନ୍ତି। ଏନବିଏଫସିମାନଙ୍କ ଏଣୁତେଣୁ ଅଭିବୃଦ୍ଧିକୁ ନେଇ ଆରବିଆଇ ଗଭର୍ଣ୍ଣର ଚିନ୍ତା ବ୍ୟକ୍ତ କରିଛନ୍ତି। ସେହିପରି ୨୦୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ଅନୁମାନ ୭.୨ ପ୍ରତିଶତ ଆକଳନ କରିଥିବା ବେଳେ ଗ୍ରାହକ ସୂଚକାଙ୍କ (ସିପିଆଇ) ୪.୫ ପ୍ରତିଶତରେ କାୟମ ରହିବ ବୋଲି ଅନୁମାନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.