ଭୁବନେଶ୍ବର ୨୩।୧୧: ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ୍ ଦାମ୍ରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲା ଯୋଗାଣ ବିଭାଗ । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମିଲର ମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ । କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡିରୁ ଧାର୍ଯ୍ୟ ଦରରେ ଧାନ କିଣିବେ । ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ । ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲ୍କୁ ସିଲ୍ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲ୍କୁ କଳା ତାଲିକା ଭୁକ୍ତ କରାଯିବ । ସେ ଆଉ ବେପାର କରିପାରିବ ନାହିଁ ।
ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ୍ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କ୍ବିଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ୍ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନେ ଧାନ ବିକିବା ପାଇଁ ତରତର ହୋଇ ଯାଉଥିବାରୁ ତାର ସୁଯୋଗ ଦଲାଲ ମାନେ ନେଉଛନ୍ତି । ତେଣୁ ଚାଷୀ ମାନଙ୍କୁ ଅପିଲ୍ କରୁଛି ଟୋକନ ଯେଉଁ ସମୟରେ ଦିଆଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ । ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
You Can Read:
ବିରଜା ହାଟରେ ପରିବା ଫିଙ୍ଗିବା ଘଟଣା : ମାମଲା ପ୍ରତ୍ୟାହାର କଲେ ଅଭିଯୋଗକାରୀ ବ୍ୟବସାୟୀ