ଭୁବନେଶ୍ବର ୧୩/୨: ୧୮ ଦିନର ପୋଲିସ-ଚୋର ଲୁଚକାଳି ଖେଳ ଶେଷ । ପୋଲିସ ପଞ୍ଝାରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଥିବା ଲୁଟେରା । ଏହି ହାଇପ୍ରୋଫାଇଲ ଲୁଟେରା ନାଁ ସ୍ପାଇଡର । ସେ ବିଶାଖାପାଟଣାରେ ରହୁଥିବା ନେଇ ସନ୍ଦେହ କରୁଛି ପୋଲିସ । ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ଘରୁ ଲୁଟ୍ କରିବା ପରେ ସ୍ପାଇଡର ଝାଡଖଣ୍ଡ,ଛତିଶଗଡ ଯାଇ ଆନ୍ଧ୍ରପ୍ରଦେଶରେ ଲୁଚିଥିଲା । ଅନେକ ଦିନ ଧରି ଧରପଗଡ ପରେ ବିଜୟୱାଡାରୁ ସ୍ପାଇଡରକୁ ଉଠାଇ ଆଣିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ । ସ୍ପାଇଡରକୁ ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ଲୁଟ୍ ଘଟଣାରେ ତା ସହ କେଉଁମାନେ ସଂପୃକ୍ତ ଏସବୁର ଖୋଳତାଡ କରୁଛି ପୋଲିସ । ତେବେ ସ୍ପାଇଡର ପାଖରୁ କେତେ ପରିମାଣର ଚୋରି ସାମଗ୍ରୀ ଜବତ ହୋଇଛି ସେ ସଂପର୍କରେ ସ୍ପଷ୍ଟ ସୂଚନା ଦେଇନି ପୋଲିସ ।
ଜାନୁଆରୀ ୨୬ ତାରିଖ ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ଚୋରଟି ବିଳମ୍ବିତ ରାତିରେ ନିରଞ୍ଜନଙ୍କ ଘରେ ପଶି ଅଢେଇ ଲକ୍ଷ ଟଙ୍କାର କ୍ୟାସ ସହ ୫୦ ଲକ୍ଷ ଟଙ୍କାର ଗହଣାଗାଣ୍ଠି ଧରି ଚଂପଟ ମାରିଥିଲା । ଘରେ ପଶିଥିବା ଚୋରର ହରକତ ସବୁ ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା । ନିଜେ ନିରଞ୍ଜନ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇବା ସହ ରାଜଧାନୀରେ ଜନସାଧାରଣ ସୁରକ୍ଷିତ ନୁହଁନ୍ତି ବୋଲି କହିଥିଲେ । ଲୁଟେରାକୁ ଧରିବାକୁ ଦିନରାତି ଏକ କରିଦେଇଥିଲା କମିଶନରେଟ୍ ପୋଲିସ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିରଞ୍ଜନଙ୍କ ସହ ଫୋନରେ କଥା ହୋଇଥିଲେ । ଶେଷରେ ଧରାପଡିଛି ଲୁଟେରା ସ୍ପାଇଡର ।
ପୂର୍ବରୁ ୨୦୨୩ରେ ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟ ୨କୋଟି ଟଙ୍କାର ସୁନା ଗହଣା ଲୁଟ୍ ଘଟଣାରେ ସ୍ପାଇଡର ହାତ ଥିବା ସୂଚନା ମିଳିଛି । ଗିରଫ ସ୍ପାଇଡର ନିରଞ୍ଜନଙ୍କ ଘର ପୂର୍ବରୁ ଆଉ ଜଣେ କୋଟିପତିଙ୍କ ଘରେ ମଧ୍ୟ କଳାକନା ବୁଲାଇଥିବା ପୋଲିସ ଜାଣିବାକୁ ପାଇଛି ।