ନୂଆଦିଲ୍ଲୀ: ବ୍ରିଟେନ୍ର ଅର୍ଥନୀତିକୁ ଶକ୍ତ ଝଟ୍କା ଲାଗିଛି। ୨୦୨୩ ଆର୍ଥିକ ବର୍ଷର ଶେଷ ଭାଗରେ ବ୍ରିଟେନ୍ ଅର୍ଥନୀତି ବଡ଼ ମାନ୍ଦାବସ୍ଥାକୁ ଚାଲିଯାଇଛି। ଯାହା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଥିବା ଋଷି ସୁନକଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ୨୦୨୪ରେ ଦେଶରେ ନିର୍ବାଚନ ଥିବାରୁ ଅର୍ଥନୀତିର ଦୁରାବସ୍ଥା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ବ୍ରିଟେନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଓଏନ୍ଏସ୍)ର ସୂଚନା ଅନୁସାରେ, ବର୍ଷର ଅନ୍ତିମ ତ୍ରୟ ମାସିକର ଦେଶରେ ମୋଟ ଘରୋଇ ଉତ୍ପାଦ(ଜିଡିପି) ଆକଳନ ଠାରୁ ଅଧିକ ୦.୩ ପ୍ରତିଶତ ହ୍ରାସ ପାଇଛି। ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଏହା ୦.୧ ପ୍ରତିଶତ ହ୍ରାସ ହୋଇଥିଲା। ନିକଟରେ ରୟଟର୍ସର ସର୍ଭେ ଅଫ୍ ଇକୋନୋମିଷ୍ଟରେ ଆକଳନ କରାଯାଇଥିଲା ଯେ ୨୦୨୩ ଶେଷ ତ୍ରୟ ମାସିକ(ଅକ୍ଟୋବର- ଡିସେମ୍ବର) ଡିଜିପି ୦.୧ ପ୍ରତିଶତ ହ୍ରାସ ପାଇବ। ହେଲେ ଏହା ୦.୩ ପ୍ରତିଶତ ଖସି ଆସିଛି।
ପଢ଼ନ୍ତୁ-ଅବସର ନେଲେ ଆପଲର ବରିଷ୍ଠ ଡିଜାଇନର, ଦୀର୍ଘ ତିନି ଦଶନ୍ଧି ଧରି ରହିଥିଲେ କମ୍ପାନି ସହ
୨୦୨୧ ର ପ୍ରଥମ ତ୍ରୟ ମାସିକ ରିପୋର୍ଟ ପରେ ଜିଡିପିରେ ଏହି ହ୍ରାସ ସର୍ବାଧିକ ବୋଲି ଓଏନ୍ଏସ୍ କହିଛି। ଗତ ଦୁଇ ବର୍ଷ ହେଲା ବ୍ରିଟେନ୍ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ହେଉ ନାହିଁ। ଏକ ପ୍ରକାର ସ୍ଥିରତା ଲାଗି ରହିଛି। ତେବେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଅନୁମାନ ୨୦୨୪ରେ ସ୍ଥିତିରେ ସୁଧାର ଆସିବ।
ବ୍ରିଟିସ ଚାମ୍ବର ଅଫ୍ କମର୍ଶନର ନୀତି ନିର୍ଦ୍ଦେଶକ ଆଲେକ୍ସ ଭେଟିକ୍ ଏନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଆସନ୍ତା ବଜେଟ୍ରେ ସ୍ପଷ୍ଟ ବ୍ୟବସାୟୀକ ରଣନୀତି ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟବସ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଅନୁରୋଧ କରିଛନ୍ତି।
ଓଏନ୍ଏସ୍ ଜିଡିପି ଡାଟା ରିଲିଜ୍ କରିବା ପରେ ୟୁରୋ ଓ ଡଲାର ତୁଳନାରେ ବ୍ରିଟେନ୍ ଟଙ୍କା ପାଉଣ୍ଡ ସାମାନ୍ୟ ଦୁର୍ବଳ ହୋଇଛି। ସୂଚନା ଥାଉକି, ଓଏନ୍ଏସ୍ ମାନୁଫେକ୍ଚରିଂ, କନଷ୍ଟ୍ରକ୍ସନ ଓ ହୋଲ୍ସେଲ୍ ସେକ୍ଟରକୁ ଦେଶର ଜିଡିପି ହ୍ରାସ ଓ ବୃଦ୍ଧିର ପ୍ରମୁଖ କାରଣଗୁଡ଼ିକରେ ଗଣନା କରିଥାଏ। ସେହି ଅନୁସାରେ ରିପୋର୍ଟ ପ୍ରକାଶ କରିଥାଏ।