ଟ୍ରମ୍ପ ଓ ପୁଟିନଙ୍କ ଆଲୋଚନା ଉପରେ ଆସିଲା ୟୁକ୍ରେନର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି ଜେଲେଂସ୍କି?

Published By : Prameya-News7 Bureau | February 13, 2025 IST

କିଭ୍ ୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ ଆଳାପ ଉପରେ ୟୁକ୍ରେନ ଜବାବ ରଖିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେଂସ୍କି କହିଛନ୍ତି ଯେ ଯେଉଁ ଆଲୋଚନାରେ ଆମକୁ ସାମିଲ କରାଯାଇ ନାହିଁ, ଆମେ ୟୁକ୍ରେନ ସମ୍ପର୍କରେ ସେପରି କୌଣସି ବୁଝାମଣାକୁ ସ୍ୱୀକାର କରିବୁ ନାହିଁ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ପୁଟିନଙ୍କ ଯୋଜନା ଅନୁସାରେ ସବୁକିଛି ହେବାକୁ ଦିଆଯିବ ନାହିଁ। 

ଜେଲେଂସ୍କି କହିଛନ୍ତି ଯେ ଏକ ସାର୍ବଭୌମ ଦେଶ ରୂପେ ଆମେ ଏହାକୁ ସ୍ୱୀକାର କରିପାରିବୁ ନାହିଁ। ଆମ ବିନା କୌଣସି ବୁଝାମଣା ଆମକୁ ସ୍ୱୀକାର ନୁହେଁ। ମୁଁ ଆମ ଅଂଶିଦାରଙ୍କୁ ସ୍ପଷ୍ଟରୂପେ କହୁଛି ଯେ ୟୁକ୍ରେନ ସମ୍ପର୍କରେ କୌଣସି ପ୍ରକାରର ଦ୍ୱିପାକ୍ଷୀୟ ବାର୍ତ୍ତାକୁ ଆମେ ସ୍ୱୀକାର କରିବୁ ନାହିଁ। ଋଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ଟେଲିଫୋନରେ କଥା ହୋଇଥିଲେ। 

ଏହି ବାର୍ତ୍ତାଳାପରେ ଦୁଇ ନେତାଙ୍କ ମଧ୍ୟରେ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ସହମତି ହୋଇଥିଲା। ପୁଟିନଙ୍କ ସହିତ ହୋଇଥିବା କଥା ବାର୍ତ୍ତାର ଉଲ୍ଲେଖ କରି ଟ୍ରମ୍ପ କହିଥିଲେ ଯେ ଦୁଇ ଦେଶ ପାରସ୍ପରିକ ହୀତକୁ ଦୃଷ୍ଟିରେ ରଖି ମିଳିତ କାମ କରିବେ। ପୁଟିନଙ୍କ ସହିତ ଆଲୋଚନାକୁ ସାର୍ଥକ ହୋଇଥିବା କହି ଟ୍ରମ୍ପ ବୈଦେଶିକ ସଚିବ ମାର୍କୋ ଋବିୟୋ, ସିଆଇଏ ନିର୍ଦ୍ଦେଶକ ଜନ ରାଟକ୍ଲିଫ, ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକଲ ୱାଲ୍ଟଜ ଓ ସ୍ୱତନ୍ତ୍ର ଦୂତ ଷ୍ଟିଭ ଭିଟକଫଙ୍କୁ ବାର୍ତ୍ତାର ନେତୃତ୍ୱ ନେବାକୁ କହିଛନ୍ତି। ବାର୍ତ୍ତା କାଳରେ ପୁଟିନ ଋଷିଆ ପରିଦର୍ଶନ ନିମନ୍ତେ ଟ୍ରମ୍ପଙ୍କୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି। 

ଜେଲେଂସ୍କିଙ୍କୁ ବି ଲଗାଯାଇଥିଲା ଫୋନ

 ପୁଟିନଙ୍କ ପରେ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କିଙ୍କ ସହିତ ମଧ୍ୟ ଟେଲିଫୋନରେ କଥା ହୋଇଥିଲେ। ଏହା ପରେ ଜେଲେଂସ୍କି କହିଥିଲେ ଯେ ଆମେରିକା ରାଷ୍ଟ୍ରପତିଙ୍କ ସହିତ ଶାନ୍ତି, ସୁରକ୍ଷା ଓ ଆର୍ଥିକ ସହଯୋଗ ଉପରେ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଆଲୋଚନା ହୋଇଛି। ଜେଲେଂସ୍କି ସୋସିଆଲ ମିଡିଆ ପୋଷ୍ଟରେ ମଧ୍ୟ ଟ୍ରମ୍ପଙ୍କ ସହିତ ହୋଇଥିବା ଆଲୋଚନା ସମ୍ପର୍କରେ ମଧ୍ୟ ପୋଷ୍ଟ କରିଥିଲେ। ସେ କହିଛନ୍ତି ଟ୍ରମ୍ପ ତାଙ୍କୁ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହିତ ତାଙ୍କ କଥାବାର୍ତ୍ତା ସମ୍ପର୍କରେ ମଧ୍ୟ କହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.