ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ହୋଇଛି। ସେମାନଙ୍କ ମନ୍ଦିର ଓ ବ୍ୟବସାୟ ସ୍ଥଳ ଭଙ୍ଗା ଯାଇଛି। ଏମିତିକି ଭାରତୀୟ ସୀମାରେ ହଜାର ହଜାର ବାଂଲାଦେଶୀ ହିନ୍ଦୁ ସୁରକ୍ଷା ପାଇଁ ବିଏସଏଫ୍କୁ ଗୁହାରି କରିଥିଲେ ବି ବିଏସଏଫ୍ ସେମାନଙ୍କୁ ଫେରାଇ ଦେଇଥିଲା। ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଜୁଲାଇରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏସବୁ ହୋଇଛି ବୋଲି ଜାତି ସଂଘ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିଛି।
ଏହା ପୂର୍ବରୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେବା ନେଇ ଭାରତୀୟ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ବାଂଲାଦେଶର ୟୁନୁସ ସରକାର କିନ୍ତୁ ଏହାକୁ ଭାରତର ପ୍ରୋପାଗାଣ୍ଡା କହି ଖାରଜ କରିଦେଇଥିଲା। ହେଲେ ଏବେ ଜାତିସଂଘ ରିପୋର୍ଟ ଆସିବା ପରେ ବାଂଲାଦେଶ ସରକାରଙ୍କ ହୀନମନ୍ୟତାର ପର୍ଦ୍ଦାଫାସ୍ ହୋଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ ସେହି ସମୟରେ ବାଂଲାଦେଶର ହିନ୍ଦୁମାନେ ହୁଏତ କୌଣସି ସ୍ଥାନରୁ ସୁରକ୍ଷା ପାଇ ନାହାନ୍ତି। ଏପରିକି ଏମାନେ ଭାରତ ସୀମାକୁ ଆସି ଭାରତ-ସୀମା ସୁରକ୍ଷା ବାହିନୀ (ବିଏସଏଫ)ଙ୍କୁ ଅନୁରୋଧ କରିଥିଲେ ବି ବିଏସ୍ଏଫ୍ ସେମାନଙ୍କୁ ଫେରାଇ ଦେଇଥିଲା ବୋଲି ଜାତିସଂଘ ତା ରିପୋର୍ଟରେ କହିଛି। ଜାତିସଂଘ ଫ୍ୟାକ୍ଟେ ଫାଇଣ୍ଡିଂ ଟିମ୍ ପକ୍ଷରୁ ପୀଡ଼ିତଙ୍କ ମତାମତ ନେଇ ଏହି ରିପୋର୍ଟ ଦିଆଯାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେଣୁ ଏହି ରିପୋର୍ଟକୁ ବାଂଲାଦେଶ ସରକାର ଖାରଜ କରିପାରିବେ ନାହିଁ।
ପ୍ରତ୍ୟକ୍ଷଦର୍ଶୀମାନେ ଜାତିସଂଘର ତଦନ୍ତକାରୀ ଟିମ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପାଖାପାଖି ୪ ହଜାର ପୀଡ଼ିତ ହିନ୍ଦୁ ବିଏସଏଫ୍କୁ ଶରଣ ମାଗିଥିଲେ। ହେଲେ ବିଏସଏଫ୍ ସେମାନଙ୍କୁ ଫେରାଇ ଦେଇଥିଲା।
'ବାଂଲାଦେଶରେ ଜୁଲାଇ ଏବଂ ଅଗଷ୍ଟ ୨୦୨୪ର ବିରୋଧ ପ୍ରଦର୍ଶନ ସମ୍ପର୍କିତ ମାନବାଧିକାର ଉଲ୍ଲଂଘନ ଓ ଦୁର୍ବ୍ୟବହାର।' ଶୀର୍ଷକ ଦେଇ ଜାତିସଂଘ ମାନବାଧିକାର ଅଫିସ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
ଏଥିରେ ଜଣେ ପୀଡ଼ିତ କହିଛନ୍ତି ଠାକୁରଗାଓଁରେ ରହୁଥିବା ହିନ୍ଦୁଙ୍କ ଘର ମନ୍ଦିର ଓ ମଶାଣୀ ପୋଡ଼ି ଭାଙ୍ଗି ଦିଆଯାଇଥିଲା। ଆକ୍ରମଣ ଭୟରେ ୩ ହଜାରରୁ ୪ ହଜାର ହିନ୍ଦୁ ବିଏସଏଫ୍କୁ ଶରଣ ମାଗିଥିଲେ। ଅତ୍ୟାଚାରିତ ହିନ୍ଦୁମାନଙ୍କର ଜୀବନ ଜୀବିକା ଘର ଦ୍ୱାରା ସବୁ ଯାଇଥିଲା। ତେବେ କେତେ ହିନ୍ଦୁ ଭାରତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ସେ ନେଇ ଜାତିସଂଘ କୌଣସି ସଠିକ୍ ଡାଟା ଦେଇ ନାହିଁ।