ମାହାଙ୍ଗା: ସୋସିଆଲ ମିଡିଆରେ ଭାଇରାଲ ହେଲା ଯୁବତୀଙ୍କ ଅଶ୍ଲୀଳ ଫଟୋ। ଲୋକଲଜ୍ଜା ଭୟରେ ଯୁବତୀ ନେଲେ ଚରମ ନିଷ୍ପତ୍ତି। କଲେ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ବ୍ଲକ ପୋଡ଼ାମରାଇ ଗାଁରେ।
ସୂଚନା ଅନୁଯାୟୀ, ଯୁବତୀଙ୍କୁ ମାହାଙ୍ଗା ବ୍ଲକ୍ ଗୌଡ଼ଗୋପ ଗ୍ରାମର ଅନିଲ କୁମାର ସେଠୀ ପ୍ରେମ କରୁଥିଲେ। କଲେଜରେ ପାଠ ପଢ଼ୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହି ସମୟରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖିଥିଲା ଅନିଲ।
ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ଯୁବତୀଙ୍କ ପରିବାର ଲୋକେ ଅନିଲଙ୍କ ସହ ବିବାହ ପାଇଁ ରାଜି ନହେବାରୁ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅନିଲ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫୋଟକୁ ଭାଇରାଲ୍ କରିଥିଲା। କିନ୍ତୁ ପରେ ଏହି ଘଟଣାର ଦୁଇ ପରିବାର ଭିତରେ ଆପୋଷ ସମାଧାନ ହୋଇଥିଲା। ଏହା ପରେ ପ୍ରେମିକା ଜଣକ ପାରାଦୀପରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲା।
ହେଲେ ବୁଧବାର ପୁଣି ପ୍ରେମିକ ଜଣକ ସୋସିଆଲ ମିଡିଆରେ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭାଇରାଲ କରିଥିଲେ। ଏମିତିରେ ଯୁବତୀ ଜଣକ ସମାଜରେ ନିନ୍ଦା ଓ ଅପବାଦ ଭୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣି ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର୍ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ। ଅଭିଯୋଗ ଆଧାରରେ ପୋଲିସ କୁମାର ସେଠୀକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରିବା ସହିତ ତଦନ୍ତ ଜାରି ରଖିଛି।