ବେଜିଂ ୧୫।୩: ଚୀନ୍ରୁ ଏକ ବଡ଼ ଖବର ଆସୁଛି। ଚୀନ୍ରେ ପ୍ରଶିକ୍ଷଣ ଅଭ୍ୟାସ କାଳରେ ଶନିବାର ଏକ ନୌସେନା ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ୱଂସ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ କେହି ହତାହତ ହୋଇନଥିବାର ଜଣାପଡିଛି। ଘଟଣା ପରେ ଅଧିକାରୀଙ୍କ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ ଦୁର୍ଘଟଣା କାଳରେ ପାଇଲଟ ବିମାନରୁ ସୁରକ୍ଷିତ ବାହାରିଯିବାକୁ ସକ୍ଷମ ହୋଇଛନ୍ତି। ନୌସେନା ଦ୍ୱାରା ଜାରି ବୟାନ ଅନୁସାରେ ଏହି ଯୁଦ୍ଧ ବିମାନଟି ଦକ୍ଷିଣ ଥିଏଟର କମାଣ୍ଡର ଥିଲା।
ଏହି ବିମାନଟି ଶନିବାର ମଧ୍ୟାହ୍ନରେ ହୈନାନର ଦକ୍ଷିଣ ଦ୍ୱୀପରେ ଜିୟାଲାୟି ସହର ନିକଟସ୍ଥ ଏକ ଖୋଲାସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହଂକଂସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ପାଇଲଟ ବିମାନରୁ ସଫଳତା ପୂର୍ବକ ବାହାରକୁ ବହାରିଯାଇଥିବା ଓ ଭୂଭାଗରେ ବିମାନ ଦୁର୍ଘଟଣା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବାର କୁହାଯାଇଛି। ପ୍ୟୁପିଲସ୍ ଲିବରେସନ ଆର୍ମି (ପିଏଲଏ) ଦୁର୍ଘଟଣାର ପରବର୍ତ୍ତିସ୍ଥିତିରେ ଏହାର ଯାଞ୍ଚ କରିବ ବୋଲି କହିଛି।