୨୦୨୫ରେ ୧୮% ବଢ଼ିବ ସେୟାର ବଜାର, ସିଟି ଗ୍ରୁପର ଅନୁମାନ, ୧୦% ବୃଦ୍ଧି ପାଇବ ନିଫ୍ଟି !

Published By : Prameya-News7 Bureau | January 09, 2025 IST

ମୁମ୍ବାଇ,୦୯/୦୧: ଭାରତୀୟ  ସେୟାର ବଜାରକୁ ନେଇ ଆଶାବାଦୀ ସିଟି ଗ୍ରୁପ୍‌ । ପୁଞ୍ଜି ବଜାରକୁ ନେଇ କିଛି ଭିନ୍ନ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଏହି ପ୍ରମୁଖ ବ୍ୟାଙ୍କ । ଭାରତର ୫ ଟ୍ରିଲିୟନ ଡଲାର ସେୟାର ବଜାରରେ ଲଗାତର ଦଶମ ବର୍ଷ ବୃଦ୍ଧି ଦେଖିବାକୁ ମିଳିବ । ବ୍ୟାଙ୍କର ରିପୋର୍ଟ ମୁତାବକ, ଆର୍ଥିକ ବିକାଶରେ ସୁଧାର ସହ ମଜଭୁତ୍ କର୍ପୋରେଟ୍‌ ଆୟ ଯୋଗୁ ଘରୋଇ ସେୟାର୍‌ ବଜାରରେ ଦ୍ରୁତ  ବୃଦ୍ଧି ଅନୁମାନ ରହିଛି । ଏହା ଚଳିତ ବର୍ଷ  ୧୮% ପର୍ଯ୍ୟନ୍ତ ବଢ଼ିପାରେ ବୋଲି କୁହାଯାଇଛି ।  

ଚଳିତବର୍ଷ ନ୍ୟାସ୍‌ନାଲ ଷ୍ଟକ୍‌  ଏକ୍ସଚେଞ୍ଜ ନିଫ୍‌ଟି ୫୦  ସୂଚକାଙ୍କ ୨୬,୦୦୦ ପଏଣ୍ଟ ଛୁଇଁବ ବୋଲି ପୂର୍ବାନୁମାନ କରିଛି ସିଟି ଗ୍ରୁପ୍‌ । ଅର୍ଥାତ୍‌ ଏ  ବର୍ଷ ୧୦% ବୃଦ୍ଧି ଦେଖିବାକୁ  ମିଳିବ । ଗତବର୍ଷ ସିଟି ବ୍ୟାଙ୍କ ପକ୍ଷରୁ  ୨୨,୫୦୦ ପଏଣ୍ଟ ପର୍ଯ୍ୟନ୍ତ ନିଫ୍‌ଟି ଯିବ ବୋଲି ଆକଳନ କରିଥିଲା । ହେଲେ ଏହାଠାରୁ ୫% ଅଧିକ ବଢ଼ିଥିଲା ନିଫ୍‌ଟି ।  

ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ପୁଞ୍ଜି  ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର  ବିବିଧ ବ୍ୟବସାୟକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ଦୃଶ୍ୟପଟ ମଜଭୁତ  ଏବଂ ଅପେକ୍ଷାକୃତ କମ୍‌ ରିସ୍କପୂର୍ଣ୍ଣ  ଲାଗୁଛି । କିଛି ନୀତିଗତ ସହାୟତା ସହ  ବର୍ଷ ୨୦୨୫ରେ ଅର୍ଥନୀତି ୬.୫%  ଅଭିବୃଦ୍ଧିକୁ ଫେରିପାରେ । କିନ୍ତୁ ଘରୋଇ  ନିବେଶରେ ମଜଭୁତ ସୁଧାର ଏତେ ଶୀଘ୍ର  ଆସିନପାରେ ।  

ସିଟି ଗ୍ରୁପ୍‌ ପୂର୍ବରୁ ମୋର୍ଗାନ ଷ୍ଟେନ୍‌ଲୀ ବି ଭାରତୀୟ ବଜାର ପାଇଁ ଦୁଇ ଅଙ୍କ ରିଟର୍ଣ୍ଣର ଭବିଷ୍ୟବାଣୀ କରିଥିଲା ।  ବ୍ରୋକରେଜ୍‌ ସଂସ୍ଥାର କହିବାନୁସାରେ,  ବିଏସ୍‌ଇ ସେନ୍‌ସେକ୍ସ ୨୦୨୫ରେ ୧୮%  ରିଟର୍ଣ୍ଣ ଦେବ । ଏହାର କାରଣ ହେଉଛି  ଖୁଚୁରା କ୍ରୟ ନୂଆ ସେୟାର ଯୋଗାଣଠାରୁ  ଆଗରେ ରହିବ । ୨୦୨୪ରେ ବ୍ୟକ୍ତିଗତ  ନିବେଶକ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ  ଅଫ୍‌ ଇଣ୍ଡିଆ ଲିମିଟେଡ୍‌ରେ ୧.୫ ଲକ୍ଷ  କୋଟି ଟଙ୍କାର ସେୟାର କିଣିଛନ୍ତି, ଯାହା  ଏକ ରେକର୍ଡ । ବଜାର ବିଶେଷଜ୍ଞମାନଙ୍କ  କହିବାନୁସାରେ, ମଜଭୁତ ଘରୋଇ ପୁଞ୍ଜି  ପ୍ରବାହ ମନ୍ଥର ଚାହିଦା, ନିମ୍ନମୁଖୀ ମୁଦ୍ରା  ଭଣ୍ଡାର ଏବଂ ବର୍ଦ୍ଧିତ ବିଶ୍ୱ ଅନିଶ୍ଚିତତା  ବିରୋଧରେ ବଫର୍‌ ହୋଇ ରହିବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.