ନୂଆଦିଲ୍ଲୀ ୨।୫: ଭାରତ ସରକାରଙ୍କ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡ-୧୯ ଭାକ୍ସିନ ସାର୍ଟିଫିକେଟରେ ପରିବର୍ତ୍ତନ କରିଛନ୍ତି। ସରକାର ‘କୋୱିନ୍’ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇ ଦେଇଛନ୍ତି। ଏହା ପୂର୍ବରୁ ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରମୁଖତାର ସହିତ ସ୍ଥାନିତ କରାଯାଇଥିଲା ଓ ଲେଖା ଯାଇଥିଲା ‘ ମିଳିତ ଭାବେ କୋଭିଡକୁ ହରାଇପାରିବ ଭାରତ’। ଏକପ୍ରକାର ସରକାର ଦେଶରେ ଟିକାକରଣର ଶ୍ରେୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ।
ଏବେ କୋଭିସିଲ୍ଡ ଭାକ୍ସିନର ପାର୍ଶ୍ୱପ୍ରତିକ୍ରିୟା ରୂପେ ଥ୍ରୋମ୍ବୋସିସ୍ ସହିତ ଥ୍ରୋମ୍ବୋ ସାଇଟୋପେନିଆ ସିଣ୍ଡ୍ରୋମ (ଟିଟିଏସ୍)ର ଚର୍ଚ୍ଚା ପରେ ଲୋକେ କୋୱିନ୍ ପୋର୍ଟାଲରେ ନିଜ ଟିକାକରଣର ଷ୍ଟାଟସ୍ ଚେକ୍ କରୁଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଦେଖି ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି, ପ୍ରଶ୍ନ କରୁଛନ୍ତି କରୋନା ଭାକ୍ସିନ ସାର୍ଟିଫିକେଟ୍ ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟିଲା କାହିଁକି ? ଏହାକୁ ନେଇ ଏବେ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି।
#AstraZeneca #Covishield
— Bhavika Kapoor (@BhavikaKapoor5) May 1, 2024
Did you check your vaccination certificate? Modi ji photo has disappeared ... 🤣
What happened Modi ji? 😭 pic.twitter.com/rJGgCwXnmY
ମିଡିଆ ରିପୋର୍ଟ ଅନୁସାରେ ଏକ୍ସ ୟୁଜର ଭାବିକା କପୁର କରୋନା ଭାକ୍ସିନର ନୂଆ ସାର୍ଟିଫିକେଟ୍ ଡାଉନଲୋଡ କରି ଏହାର ଛବି ପୋଷ୍ଟ କରିଛନ୍ତି। ଭାବିକା ଲେଖିଛନ୍ତି ଯେ ସାର୍ଟିଫିକେଟରେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନାହିଁ, କେବଳ କ୍ୟୁଆର କୋଡ ଦେଖାଯାଉଛି। ଏହା ପରଠାରୁ ଲୋକେ କୋୱିନ୍ ପୋର୍ଟାଲରେ ସେମାନଙ୍କ କରୋନା ଟିକା ସାର୍ଟିଫିକେଟ ଯାଞ୍ଚ କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବିରୋଧୀ ଓ ସମର୍ଥକ ନିଜନିଜ ହିସାବରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
କରୋନା ଭାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟିବା ପରେ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚାକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କୁ ଆଗକୁ ଆସିବାକୁ ପଡିଛି। ମନ୍ତ୍ରାଳୟ ଫଟୋ ହଟିବା ନେଇ ସ୍ପଷ୍ଟିକରଣ ଦେଇଛନ୍ତି। ଏଥିରେ ସ୍ପଷ୍ଟ କରାଯାଇଛି ଯେ କେଉଁଥି ପାଇଁ କୋୱିନ ସାର୍ଟିଫିକେଟରୁ ଫଟୋ ହଟିଲା। ମନ୍ତ୍ରାଳୟ କହିଛନ୍ତି ଯେ ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି ଓ ଏଥି ପାଇଁ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଛି। ଏଣୁ କରୋନା ଭାକ୍ସିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟା ଯାଇଛି। ଏହା ପୂର୍ବରୁ ୨୦୨୨ ବିଧାନସଭା ନିର୍ବାଚନ ବେଳେ ମଧ୍ୟ ନିର୍ବାଚନ ହେଉଥିବା ରାଜ୍ୟମାନଙ୍କରେ କୋୱିନ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ବାହାର କରିଦିଆଯାଇଥିଲା।