ଲାଉଡ୍‌ସ୍ପିକର ଯଦି ଗଣେଶ ଉତ୍ସବରେ ହାନିକାରକ, ତେବେ ଇଦ୍‌ରେ ମଧ୍ୟ କ୍ଷତିକାରକ: ହାଇକୋର୍ଟ

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ: ଗଣେଶ ଉତ୍ସବରେ ଯଦି ଗୋଟିଏ ସ୍ତରରୁ ଅଧିକ ଉଚ୍ଚ ଶବ୍ଦରେ ଲାଉଡ୍‌ସ୍ପିକର ବଜାଇବା ହାନିକାରକ ତେବେ ଇଦ୍‌ରେ ମଧ୍ୟ ତାର ପ୍ରଭାବ ପଡ଼ିଥାଏ । ବମ୍ୱେ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଏହି ଟିପ୍ପଣୀ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଗଣେଶ ଉତ୍ସବ ପରି ହିଁ ଇଦ୍-ମିଲାଦ-ଉନ୍-ନବୀ ଶୋଭାଯାତ୍ରାରେ ବି ଉଚ୍ଚ ଶବ୍ଦରେ ଲାଉଡ୍‌ସ୍ପିକର ବଜାଇବା ଭୁଲ ଅଟେ । ମୁଖ୍ୟ ବିଚାରପତି ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ଅମିତ୍ ବୋରକରଙ୍କ ଖଣ୍ଡପୀଠ ଇଦ୍-ମିଲାଦ-ଉନ୍-ନବୀ ଶୋଭାଯାତ୍ରାରେ ଡିଜେ, ଲେଜର ଲାଇଟ୍ ଆଦିର ବ୍ୟବହାର ଉପରେ କଟକଣା ପାଇଁ ଅନେକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ଟିପ୍ପଣୀ କରିଛନ୍ତି ।

ଜନସ୍ୱାର୍ଥ ଆବେଦନରେ ଦାବି କରାଯାଇଛି ଯେ କୁରାନ କି ହଦିସରେ ଡିଜେ ସିଷ୍ଟମ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉଲ୍ଲେଖ ନାହିଁ । ଖଣ୍ଡପୀଠ ଗଣେଶ ଉତ୍ସବ ଠିକ୍ ପୂର୍ବରୁ, ଗତ ମାସରେ ପାରିତ ଏକ ଆଦେଶ କଥା ଉଲ୍ଲେଖ କରିଛନ୍ତି । ଯେଉଁଥିରେ ଉତ୍ସବ ସମୟରେ ଧ୍ୱନି ପ୍ରଦୂଷଣ (ବିନିୟମନ ଏବଂ ନିୟନ୍ତ୍ରଣ) ନିୟମ, ୨୦୦୦ ଅଧିନରେ ଉଲ୍ଲେଖିତ ସୀମାରୁ ଅଧିକ ଶବ୍ଦ କରୁଥିବା ଧ୍ୱନି ପ୍ରଣାଳୀ ଏବଂ ଲାଉଡସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଜୋର ଦିଆଯାଇଛି ।

ଆବେଦନକାରୀଙ୍କ ଓକିଲ କୋର୍ଟରେ ନିଜ ପୂର୍ବ ଆଦେଶରେ ଇଦ୍‌କୁ ସାମିଲ କରିବା ଅପିଲ୍ କରିଛନ୍ତି । ଯାହା ଉପରେ କୋର୍ଟ କହିଛନ୍ତି ଯେ ଏହାର ଆବଶ୍ୟକତା ନାହିଁ କାରଣ ଆଦେଶରେ ସାର୍ବଜନୀନ ଉତ୍ସବ କଥା ଉଲ୍ଲେଖ କରାଯାଇଛି । କୋର୍ଟ ଯାଚିକାର ଶୁଣାଣି ଶେଷ କରି କହିଛନ୍ତି, ଯଦି ଏହା ଗଣେଶ ଚତୁର୍ଥୀରେ ହାନିକାରକ ତେବେ ଇଦରେ ମଧ୍ୟ କ୍ଷତିକାରକ ଅଟେ । ଲେଜର୍ ଲାଇଟ୍‌ର ବ୍ୟବହାର ଉପରେ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି ଯେ ମଣିଷଙ୍କ ଉପରେ ଏପରି ଲାଇଟ୍‌ର ହାନି ନେଇ ବୈଜ୍ଞାନିକ ପ୍ରମାଣ ଦିଅନ୍ତୁ ।

ହାଇକୋର୍ଟ ଶୁଣାଣିରେ କହିଛନ୍ତି ଯେ ଏପରି ଆବେଦନ ଦାଖଲ କରିବା ପୂର୍ବରୁ ଉଚିତ ଅଧ୍ୟୟନ କରାଯିବା ଦରକାର । ଜଜ୍ କହିଛନ୍ତି, ଆପଣ କାହିଁକି ଅଧ୍ୟୟନ କଲେ ନାହିଁ ? ଯେପର୍ଯ୍ୟନ୍ତ ବୈଜ୍ଞାନିକ ରୂପେ ଏହା ପ୍ରମାଣିତ ନହୋଇଛି, ଆମେ ଏହା ଉପରେ କିପରି ରାୟ ଦେଇପାରିବୁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.