ସେ ଶକ୍ତି, ସେ ସ୍ରଷ୍ଟା: ମମତାର ମୁରତୀ ସେ, ସେ ପ୍ରେମର ଗଙ୍ଗା

Published By : Prameya-News7 Bureau | March 08, 2025 IST

ଭୁବନେଶ୍ୱର ୦୮/୦୩: ନାରୀ, ତୁମେ ଅନନ୍ୟା, ଅପରୂପା । କେବେ ସେ ଜାୟା, କେବେ ସେ ଜନନୀ । କେବେ ପୁରୁଷର ଧର୍ମ ସଙ୍ଗିନୀ, ପୁଣି ତା’ର ସୁଖ ଦୁଃଖର ସାଥୀ । ତୁମେ ସ୍ନେହମୟୀ, ସର୍ବଂସହା, ତୁମେ ନାରୀ । ନାରୀ ସ୍ରଷ୍ଟାଙ୍କର ଏକ ଅନବଦ୍ୟ ସୃଷ୍ଟି । ତାଙ୍କର ଏକ ଅବର୍ଣ୍ଣନୀୟ ସୃଜନଶୀଳତା । କୁଆଁ କୁଆଁ ରାବ ଦେଇ ଯେତେବେଳେ ଘରକୁ କନ୍ୟାଟିଏ ଆସେ ଲାଗେ ଯେମିତି ମା’ ମହାଲକ୍ଷ୍ମୀଙ୍କ ଅବିର୍ଭାବ ହେଲା । ଧୀରେ ଧୀରେ ସେ ଲତାଟିଏ ପରି ବଢିଚାଲେ । 

ବିଭନ୍ନ ସମୟରେ ସେ ଶିଖେ ଜୀବନ ବଞ୍ଚିବାର କଳା ଆଉ ଜୀବନକୁ ବଞ୍ଚାଇବାର କଳା । ପରିବାର ଠାରୁ ଆରମ୍ଭ କରି ସମାଜ ପ୍ରତି ଦାୟିତ୍ୱକୁ ବହନ କରିବାକୁ ଧୀରେ ଧୀରେ ହୁଏ ସଚେତନ । ନାରୀକୁ ନେଇ ସାହିତ୍ୟ ସମ୍ଭାର, ଶିଳ୍ପୀର କଳା । ନାରୀ ବିନା ସୃଷ୍ଟିର ପ୍ରତିଟି ଦିଗ ଯେପରି ଅସମ୍ପୂର୍ଣ୍ଣ । ବଗିଚାରୁ ମନ୍ଦିର ଯାଏଁ ଫୁଲର ଯାତ୍ରା ପରି ନାରୀର ଯାତ୍ରା ବାପଘରୁ ଶାଶୁଘର । ଏହି ଯାତ୍ରା ସମୟରେ ସେ ରଖିଥାଏ ଅନେକ ଧୈର୍ଯ୍ୟ ଓ ନିଷ୍ଠା । ସ୍ନେହ, ପ୍ରେମ ଓ ସେବାର ଏକ ଚିରସ୍ରୋତା ନଦୀ । 

ଝିଅଟିର ଦରୋଟି କଥା ଓ ହସ ବାପା, ମା’ଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଖୁସି ଆଣିଦିଏ । ପାଠ ପଢି ପରିବାର ପାଇଁ ଗୌରବ ଆଣେ । ତା ପରେ ଯେତେବେଳେ ତା’ ଦେହରେ ଯୌବନର ରଙ୍ଗ ଲାଗେ ତା’ ସମ୍ପର୍କର ପରିଭାଷାରେ ପରିବର୍ତ୍ତନ ଦେଖାଯାଏ । କେହି ଜଣେ ଅଜଣା ଲୋକଙ୍କୁ ନିଜର କରି ତା’ ସଂସାରକୁ ଆପଣାର କରିନିଏ । ଦୁହିତାରୁ ହୋଇଯାଏ ପତ୍ନୀ । ନିଜ ବାପଘର ପରିବାର ସହ ସମ୍ଭାଳିନଏ ଶାଶୁଘର ପରିବାରର ପୁରା ଦାୟିତ୍ୱ । ଦୁଇଟି ପରିବାର ଭିତରେ ଯୋଗସୂତ୍ର ବାନ୍ଧେ ।

ନିଜ ପ୍ରିୟ ମଣିଷ ଓ ସନ୍ତାନ ପାଇଁ ନିଷ୍ଠାର ସହ କରିଚାଲେ ପୂଜା ବ୍ରତ, ଉପବାସ । ସେମାନଙ୍କ ପାଇଁ ସାଜେ ସୁରକ୍ଷା କବଚ । ଅର୍ଦ୍ଧାଙ୍ଗିନୀ ହୋଇ ସ୍ୱାମୀକୁ ଦିଏ ମନୋବଳ ସୁଖ ଶାନ୍ତି । ହାରିଯାଉଥିବା ବେଳେ, ସାହାରା ଦିଏ । ବୋହୂ ହୋଇ ଶାଶୁ, ଶ୍ୱଶୁରଙ୍କର ସେବା କରେ । ମା’ ହୋଇ ଦୁନିଆଁର ସବୁ ଦୁଃଖକୁ ଛାତିରେ ଚାପି ରଖି ନିଜେ ମାଟିରେ ମିଶିବା ଯାଏଁ ପିଲାମାନଙ୍କର ସବୁ ଅଳି ଅର୍ଦ୍ଦଳିକୁ ସହି ସେମାନଙ୍କୁ ବାଟ ଦେଖାଇଚାଲେ । ସେଥିପାଇଁ ତ ପିଲା ପାଇଁ ମା’ ହିଁ ସର୍ବସ୍ୱ ।

କେବଳ ଏତିକି ନୁହେଁ ନାରୀ ଆଜି ସବୁ କ୍ଷେତ୍ରରେ ପାରଙ୍ଗମ । ଭୂମିରୁ ଭୂମାଯାଏଁ ତା’ର ଯାତ୍ରା ସଫଳ ହୋଇଛି । ଘରର ପ୍ରତିଟି ପାଇଟିକୁ ସୁଚାରୁ ରୁପେ କରିବା ଠାରୁ ଆରମ୍ଭ କରି ମହାକାଶରେ ବୁଲି ଆସିଲାଣି ନାରୀ । ନୃତ୍ୟ , ସଙ୍ଗୀତ, ସାହିତ୍ୟଠାରୁ ଆରମ୍ଭ କରି ସେବା ଓ ସେନାରେ ମଧ୍ୟ ନିଜର ଦକ୍ଷତା ଦେଖାଇପାରିଛି ନାରୀ । ନାରୀ କେବେ ସ୍ନେହମୟୀ କେବେ ପୁଣି ଶତ୍ରୁ ପାଇଁ ସଂହାରିଣୀ ।

ଏତେ ସବୁପରେ ବି ନାରୀକୁ ବୁଝିବାକୁ ଏ ସମାଜ ଅମଙ୍ଗ କାହିଁକି । ସବୁ ବଳିଦାନ ପରେ ବି ତା’ ଉପରେ ଏତେ ନିର୍ଯାତନା କାହିଁକି? ଏ ପ୍ରଶ୍ନ ସବୁବେଳେ ଅସମାହିତ । ତେବେ ନାରୀମାନଙ୍କ ଏହି ଅବଦାନକୁ ନେଇ ପ୍ରତିବର୍ଷ ପାଳିତ ହେଉଛି ମହିଳା ଦିବସ । ପ୍ରତି ବର୍ଷ ମାର୍ଚ୍ଚ ୮ରେ ପାଳନୁ କରାଯାଉଛି ଅନ୍ତର୍ଜାତୀୟ ମହିଳା ଦିବସ । ତେବେ ଏବର୍ଷର ଥିମ୍ ରହିଛି  'Accelerate Action' । ଅର୍ଥାତ୍ କର୍ମକ୍ଷେତ୍ରରେ ଆଗକୁ ବଢ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.