ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ସ୍ପେଶ୍ ଡକିଂକୁ ପୁଣି ଥରେ ସ୍ଥଗିତ ରଖିଛି । ସ୍ପେଡେକ୍ସ ମିଶନରେ ୨ ସ୍ପେସ୍କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ିବା ପାଇଁ ଗୁରୁବାର ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର ଏହାକୁ ଏବେ ଟାଳି ଦିଆଯାଇଛି । ସ୍ପେଶ୍ ଡକିଂ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ୭ ତାରିଖରେ ଡକିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ସେତେବେଳେ କୌଣସି କାରଣରୁ ସ୍ପେଶ୍ ଡକିଂକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଡିସେମ୍ବର ୩୦ରେ ସ୍ପେଡେକ୍ସ ମିଶନ ଉତକ୍ଷେପଣ ହୋଇଥିଲା । ୨ଟି ଯାକ ସ୍ପେଶକ୍ରାଫ୍ଟ ପୃଥିବୀ ପୃଷ୍ଠରୁ ୪୭୦ କିଲୋମିଟର ଦୂରରେ ହାଇ-ଅର୍ବିଟରେ ଘୁରି ବୁଲୁଛନ୍ତି। ଉଭୟ ଚେଜର୍ ଓ ଟାର୍ଗେଟର ଓଜନ ୨୨୦ କିଲୋଗ୍ରାମ୍ ଲେଖାଏଁ । ସ୍ପେଶ୍ ଦୁଇ ସାଟେଲାଇଟ୍ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର ବେଗରେ ଘୂରିଛନ୍ତି । ତେଣୁ ସେମାନଙ୍କୁ ନିଖୁଣ ଭାବେ ଯୋଡ଼ିବା ଇସ୍ରୋ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
ସ୍ପେଶ୍ ଡକିଂ ଏକ ସୂକ୍ଷ୍ମ ପ୍ରକ୍ରିୟା । ଏଥିରେ ଇସ୍ରୋକୁ ସଫଳତା ମିଳିଲେ ଡକିଂ ଟେକ୍ନୋଲୋଜି ହାସଲ କରିବାରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ପାଲଟିବ ଭାରତ । ଭାରତୀୟ ସ୍ପେଶ୍ ଷ୍ଟେସନ ଏବଂ ଚନ୍ଦ୍ରଯାନ-୪ ମିଶନ ପାଇଁ ଡକିଂ ସିଷ୍ଟମ୍ ନିହାତି ଜରୁରୀ।