ଶମ୍ଭୁ ବର୍ଡରରେ ଆଉ ଜଣେ ଚାଷୀ ଖାଇଲେ ବିଷ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ: ବିଷ ଖାଇବା କାରଣରୁ ଶମ୍ଭୁ ସୀମାରେ ଧାରଣା ଦେଉଥିବା ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରେଶମ ସିଂହ। ସେ ରାଲି ସମୟରେ ସଲଫା ଖାଇଦେବାରୁ ତାଙ୍କ ସ୍ବ୍ୟାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜପୁରା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। 

ପୂର୍ବରୁ ମଧ୍ୟ ଜଣେ ଚାଷୀଙ୍କ ଏଭଳି ଭାବରେ ବିଷ ଖାଇ ମୃତ୍ୟୁବରଣ କରିଥି‌ଲେ। ତେବେ ରେଶମ ସିଂହଙ୍କ ମୃତ୍ୟୁପରେ ଶମ୍ଭୁ ବର୍ଡରରେ ବିଷ ଖାଇ ମରିଥିବା ଚାଷୀଙ୍କ ସଂଖ୍ୟା ୨କୁ ବଢ଼ିଛି। ରେଶମ ସିଂହ ଜଗତାର ସିଂହଙ୍କ ପୁଅ। ସେ ତରତାରନ ଜିଲ୍ଲାର ପାହୁର ବାସିନ୍ଦା।

ଚାଷୀ ନେତା ତେଜବୀର ସିଂହ କହିଛନ୍ତି ରେଶମ ସିଂହ ଶମ୍ଭୁ ଏବଂ ଖନୌରୀ ବର୍ଡରେ ୧୧ ମାସରୁ ଆନ୍ଦୋଳନ କରୁଛନ୍ତି। ହେଲେ ଏହା ସତ୍ତ୍ବେବି ସରକାରଙ୍କ ତରଫରୁ ଏହାର ସମାଧାନ ବାହାର କରାଯାଉନାହିଁ। ସେ ଆହୁରି କହିଛନ୍ତି ୩୨୮ ଦିନ ହେଲାଣି ଚାଷୀମାନେ ଶମ୍ଭୁ ଏବଂ ଖନୌରୀ ସୀମାରେ ଖୋଲା ଆକାଶ ତଳେ ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ବସିଛନ୍ତି। ଏପର୍ଯ୍ୟନ୍ତ ୩୫ ଚାଷୀଙ୍କ ମୃତ୍ୟୁ ହେଲାଣି।

ସୂଚନାଥାଉକି, ଚାଷୀ ଏମଏସପି ଗ୍ୟାରେଣ୍ଟି ଆଇନ୍, ସ୍ବାମୀନାଥନ ଆୟୋଗ ହିସାବରେ ଦାମ୍, ଭୂମି ଅଧିଗ୍ରହଣ ଆଇନ ୨୦୧୩ର ଲାଗୁ, ଆନ୍ଦୋଳନରେ ଲାଗିଥିବା ମାମଲା ପ୍ରତ୍ୟାହାର, ଚାଷୀଙ୍କ ଋଣ ଛାଡ଼ ଏବଂ ପେନସନ, ଫସଲ ବୀମା ଯୋଜନାର ପ୍ରିମିୟମ, ମୃତ ଚାଷୀଙ୍କ ପରିବାରକୁ ଚାକିରି, ଲଖୀମପୁର ଘଟଣାରେ ଦୋଷୀଙ୍କୁ ଜେଲ, ମନରେଗାରେ ୨୦୦ ଦିନର କାମ ଏବଂ ୭୦୦ ଟଙ୍କା ପାରିଶ୍ରମିକ, ନକଲି ବିହନ-ସାର ଉପରେ କଡ଼ା ଆଇନ, ମସଲା କିଣା ଉପରେ ଆୟୋଗ ଗଠନ, ଭୂମିହୀନ ଚାଷୀଙ୍କ ପିଲାଙ୍କୁ ରୋଜଗାର ଦାବିରେ ୧୧ ମାସରୁ ଧାରଣାରେ ବସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.