ୟୁକ୍ରେନ ଉପରେ ଋଷ୍‌ର ସବୁଠୁ ବଡ଼ ହମଲା; କୀଭ୍‌ରେ ଡ୍ରୋନ୍ ଏବଂ ମିସାଇଲ୍ ବର୍ଷା, ୭ ମୃତ

Published By : Prameya-News7 Bureau | August 27, 2024 IST

ନୂଆଦିଲ୍ଲୀ: ୟୁକ୍ରେନ ହମଲାର କଡ଼ା ଜବାବ ଦେଲା ଋଷ୍ ।  ମସ୍କୋ ସେନାର ପାଲଟା ଆକ୍ରମଣ କରିଛି । ୟୁକ୍ରେନ-ଋଷ୍ ଯୁଦ୍ଧ ମଧ୍ୟରେ ଏହା ସବୁଠୁ ବଡ଼ ହମଲା କହିପାରିବା । ଋଷ୍ ସେନା ଅଧା ୟୁକ୍ରେନକୁ ଟାର୍ଗେଟ୍ କରିଛି । ରାଜଧାନୀ କୀଭ୍ ସହିତ ଅଧିକାଂଶ ଅଞ୍ଚଳରେ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଛି । ଏଥିରେ ୭ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କୀଭ୍ ପ୍ରାନ୍ତରେ ଋଷ୍ ପକ୍ଷରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି ୟୁକ୍ରେନ୍ ବାୟୁସେନା ମୁଖ୍ୟ ମିକୋଲା ଓଲେସ୍‌ଚୁକ୍ କହିଛନ୍ତି । 

ମିକୋଲା ଓଲେସ୍‌ଚୁକ୍ କହିଛନ୍ତି, ମସ୍କୋ ୟୁକ୍ରେନ ଉପରେ ୧୨୭ଟି ଲଙ୍ଗ୍ ରେଞ୍ଜ୍ ମିସାଇଲ୍ ଲଞ୍ଚ କରିଥିଲା । ଏଥିରୁ ୧୦୨ଟି ମିସାଇଲକୁ ୟୁକେନ୍ ସେନା ନଷ୍ଟ କରିବାରେ ସଫଳ ହୋଇଛି । ସେହିପରି ଋଷ୍ ଛାଡ଼ିଥିବା ୧୦୯ଟି ଡ୍ରୋନ୍ ମଧ୍ୟରୁ ୯୯ଟି ମାରି ଖସାଇଛି ୟୁକ୍ରେନ ଫୋର୍ସ। ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭି. ଜେଲେନସ୍କି ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଦେଇ କହିଛନ୍ତି, ଏହା ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍ । ଋଷର ଏହି ଆତ୍ମଘାତୀ ହମଲାରେ ପ୍ରାୟ ୭ଜଣ ସାଧାରଣ ଲୋକ ଜୀବନ ଯାଇଛି ଏବଂ ଅନେକ ଆହତ ହୋଇଛନ୍ତି । ମସ୍କୋ ଜାଣିଶୁଣି ନିରୀହ ୟୁକ୍ରେନବାସୀଙ୍କୁ ଟାର୍ଗେଟ୍ କରୁଛି । ଋଷ୍ ଏହି ହମଲାକୁ ଜବାବ ଦେବାକୁ ରାଷ୍ଟ୍ରପତି ଜେଲେନସ୍କି ମିତ୍ର ରାଷ୍ଟ୍ରମାନଙ୍କୁ ଲଙ୍ଗ୍ ରେଞ୍ଜ୍ ମିସାଇଲ ଦେବାକୁ ଅନୁରୋଧ କରିଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ଋଷ୍ ଏହି ମିସାଇଲ୍ ଆଟାକ୍‌କୁ ନିନ୍ଦା କରିଛନ୍ତି । ସହଯୋଗୀ ଦେଶମାନେ ୟୁକ୍ରେନକୁ ସମର୍ଥନ କରିବାକୁ ଆହ୍ବାନ ଦେଇଛନ୍ତି । ଋଷ୍-ୟୁକ୍ରେନ ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ହେଲା ଯୁଦ୍ଧ ଜାରି ରହିଛି ।  କିଛି ଦିନ ହେଲା ଶିଥିଳ ପଡ଼ିଥିବା ଯୁଦ୍ଧ ପୁଣି ଥରେ ଭୟଙ୍କର ରୂପ ଧାରଣ କରିଛି । ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.