ବୁଡିଯିବ କି ଗାଁ ? ଜନବସତି ଆଡକୁ ମାଡ଼ି ଆସୁଛି ସମୁଦ୍ର…

Published By : Prameya-News7 Bureau | July 31, 2024 IST

ଜଗତସିଂହପୁର ୩୧।୦୭:  ମାଡ଼ି ଆସୁଛି ସମୁଦ୍ର । ଘୁ ଘୁ ଗର୍ଜନ କରି କୂଳ ଲଂଘନ କରି ଜନବସତି ଆଡକୁ ମାଡ଼ି ଆସୁଛି ସମୁଦ୍ର । ଜଗତସିଂହପୁର ଜିଲା ଏରସମା ବ୍ଲକ ରାମତରା, ଶିଆଳି ଓ ସରବନ୍ତ ନିକଟରେ ଭୟଙ୍କର ଭାବେ କୂଳ ଲଂଘୁଛି ସମୁଦ୍ର। 


ସପ୍ତାହକ ଭିତରେ ପ୍ରାୟ ପ୍ରାୟ ୫୦ ମିଟର ସ୍ଥଳ ଭାଗକୁ ମାଡି ଆସିଲାଣି। ସ୍ଥିତି ଏମିତି ଯେ ସମୁଦ୍ର ଜୁଆରିଆ ହେଲେ ଗାଁ ଭିତରେ ପଶୁଛି ପାଣି । ଝାଉଁ ଜଙ୍ଗଲ ସହିତ ଭିୟୁ ଟାୱାର ଜୁଆର ମାଡ଼ରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଫଳରେ ସମୁଦ୍ର ତଟବର୍ତ୍ତି ଅଞ୍ଚଳର ଲୋକେ ଆତଙ୍କିତ। ନଜର ପକାନ୍ତୁ ଏ ଚିତ୍ର ଉପରେ। କେମିତି ଭୟଙ୍କର ଭାବେ ମାଡି ଆସୁଛି ସମୁଦ୍ର ପାଣି। ଇଏ ହେଉଛି ଏରସମା ବ୍ଲକ ଶିଆଳି ବେଳାଭୂମିର ଦୃଶ୍ୟ। ଦୈନିକ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସୁଥିବା ବେଳେ ଏହି ବେଳାଭୂମି ସମୁଦ୍ର ଆଁରେ ଲୀନ ହେବାକୁ ବସିଛି । ଲଘୁଚାପ ସମୟରେ ସମୁଦ୍ର ଜୁଆରିଆ ହେଲେ ଶିଆଳି, କଳାବେଦୀ, ରାମତରା,ପଦ୍ମପୁର,ଗଡ଼ହରିଶପୁର ଓ ସରବନ୍ତ ଆଦି ୧୦ ରୁ ଉର୍ଦ୍ଧ୍ଵ ଗାଁରେ ପାଣି ପଶୁଛି। ଦୁଇ ଦିନ ତଳେ ସମୁଦ୍ର କୂଳ ଲଂଘି ବ୍ୟାପକ ଝାଉଁ ଜଙ୍ଗଲ କ୍ଷତି କରିଥିଲା। ଭିୟୁ ଟାୱାର ମଧ୍ୟ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇ ସମୁଦ୍ର ଗର୍ଭ କୁ ଚାଲି ଯାଇଛି। 
ଗତ ସପ୍ତାହ ମଧ୍ୟରେ ଜୁଆର ମାଡ଼ରେ ହାରାହାରି ୫୦ ମିଟର ସମୁଦ୍ର ମାଡି ଆସିଛି। ପ୍ରତିବର୍ଷ ଏହିପରି ସମୁଦ୍ର ମାଡି ଆସୁଥିବା ବେଳେ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ।ସରକାରୀ ବାବୁମାନେ ଆସି ସ୍ଥିତି ପରଖି ଯାଉ ଥିଲେ ମଧ୍ୟ କିଛି ପ୍ରତିକାର ବ୍ୟବସ୍ଥା କରୁନଥିବାର ଅଭିଯୋଗ ହେଉଛି। ଗଡ଼ହରିଶପୁର ଠାରୁ କଳାବେଦୀ ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ସ୍ଥାୟୀ ପଥର ବନ୍ଧ କରାଗଲେ ପାଣି ମାଡ଼ରୁ ଏହି ବେଳାଭୂମିକୁ ସୁରକ୍ଷା ଦିଆଯାଇ ପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.