ଭୁବନେଶ୍ବର ୧୧।୬: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ । ମୋଟ୍ ୬୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଜଣେ ଆଇଜି, ୩ ଜଣ ଡିଆଇଜି, ୧୩ ଜଣ ଏସପି ଓ ଡିସିପି ରାଙ୍କ ଅଫିସର, ୧୮ ଜଣ ଅତିରିକ୍ତ ଏସ୍ପି, ୫୮ ଜଣ ଡ଼ିଏସପି, ୯୪ ଇନ୍ସପେକ୍ଟର ଓ ୩୧୨ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ କମାଣ୍ଡାଣ୍ଟ୍ ସୁରକ୍ଷା ଦାୟିତ୍ୱରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାର ରିହରର୍ସଲ କରିଛନ୍ତି ନିଜେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଭାସ୍ଥଳକୁ ଆସିବା ପୂର୍ବରୁ କେଉଁ ଗେଟ୍ରେ କାହାର ଏଣ୍ଟ୍ରି ହେବ ସେ ନେଇ ସୂଚନା ଦିଆଯାଇଛି ।
ବୁଧବାର ଦିନ ୨ଟା ୧୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ରାଜଭବନ ଯାଇ ସେଠାରେ ୨ ଘଣ୍ଟା ରହିବା ପରେ ୪ଟା ୩୦ ବେଳେ ରାଜଭବନରୁ ବାହାରି ଜନତା ମଇଦାନ ଯିବେ । ସମ୍ପୂର୍ଣ୍ଣ ଜନତା ମେଇଦାନକୁ ସିସିଟିଭି ନଜରରେ ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭିଭିଆଇପିଙ୍କ ବିମାନବନ୍ଦରରେ ପହଞ୍ଚିବା ଠାରୁ ହୋଟେଲ୍ରେ ରହିବା, ଉତ୍ସବସ୍ଥଳକୁ ଯିବା ଏବଂ ବିମାନବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠି ପୋଲିସ ଛାଉଣୀ କରାଯିବ । ଟ୍ରାଫିକ୍ରେ ସମସ୍ୟା ଦେଖାନଦେବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ୩୫ ହଜାର ଲୋକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏତେ ବଡ଼ ଆୟୋଜନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛି । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ହୋଟେଲ୍ ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି ।
ସେହିପରି ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି ଯୋଗଦେବେ । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ହୋଟେଲ୍ଗୁଡ଼ିକରେ ଭିଭିଆଇପିଙ୍କ ରହଣୀ ବ୍ୟବସ୍ଥା ମଧ୍ୟ ହୋଇଛି ।
You Can Read :
ରେଲୱେ ଟ୍ରାକ୍ରେ ପଡିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ