ବାଘକୁ ମାରି ପୋଡିଲେ, ଲୋଭ ହେବାରୁ ମାଂସ ଖାଇଲେ, ଗିରଫ ହେଲେ ଦୁଇ ଶିକାରୀ

Published By : Prameya-News7 Bureau | September 14, 2024 IST

ନୂଆପଡା ୧୪।୯: ବାଘ ମାରିଲେ, ଜଙ୍ଗଲରେ ପୋଡିଲେ ଆଉ ଲୋଭ ହେବାରୁ ବାଘ ମାଂସ ଖାଇଗଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଡୋଙ୍ଗରଗାଁରେ । 

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୯ ତାରିଖ ଦିନ ବାଘ ଛାଲ ଡିଲ୍ ବେଳେ ସିନାପାଲି ବ୍ଲକର କୋଳିଆପଥର ଗ୍ରାମର କିଶୋର ସାହାଣ ଓ କାନ୍ଦୁଲକୋନା ଗ୍ରାମର ଲକ୍ଷ୍ମୀ ମାଝୀ ଓ ଖରତ ଛତ୍ରିଆକୁ ଗିରଫ କରିଥିଲା ସିନାପାଲି ବନ ବିଭାଗ । ସେହି ଦିନ ଠାରୁ ଶିକାରୀଙ୍କ ଉପରେ ନଜର ରଖିଥିଲା ବନ ବିଭାଗ । ତେବେ ଶୁକ୍ରବାର ଦୁଇ ଶିକାରୀଙ୍କୁ ଗିରଫ କରିଛି ସିନାପାଲି ବନ ବିଭାଗ । ସିନ୍ ରିକ୍ରିଏସନ ସହ ଗୋଟିଏ ଦାନ୍ତ ଓ ୬ ଖଣ୍ଡ ହାଡ଼ ମଧ୍ୟ ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ଡୋଙ୍ଗରଗାଁ ଗ୍ରାମର ବୁଟୁରାମ ମାଝୀ ଓ ପଦୁ ମାଝୀ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ବାଘ ଭଳି ହିଂସ୍ର ପ୍ରାଣୀ ଠାରୁ ବି ଅଧିକ ହିଂସ୍ର ହୋଇଯାଇଛି ମଣିଷ । ବାଘ ମଣିଷ ମାରି ଖାଉଥିବା ବେଳେ ଏବେ ମଣିଷ ବାଘ ମାରି ଖାଉଛି । 

ମଣିଷ ବାଘକୁ ମାରି ଖାଇବା ଘଟଣା ନୂଆପଡା ଜିଲ୍ଲା ପାଇଁ ନୂଆ ନୁହେଁ । କାରଣ ୨୦୨୦ ମସିହାରେ ବାଘ ମାରି ଖାଇବା ଅଭିଯୋଗରେ ନୂଆପଡା ସଦର ରେଞ୍ଜ ଟିପାଝର ଗ୍ରାମରୁ ୧୪ ଜଣ ବାଘଖିଆ ମଣିଷକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ନୂଆପଡା ବନ ବିଭାଗ । ଏହା ଏବେ ଦୁଇ ନମ୍ବର ଘଟଣା ନୂଆପଡା ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ସହ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଅନେକ କର୍ମଚାରୀ, ୱାର୍ଡେନ କାମ କରୁଥିବା ବେଳେ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କରୁଥିବା କୁହଯାଉଛି ତଥାପି ବାଘ ମଣିଷ ଲଢେଇ ଥମିବାର ନାଁ ନେଉନାହିଁ ।

You Can Read:

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.