ମୁଣ୍ଡ ପିଛା ଆୟରେ ପଶ୍ଚିମବଙ୍ଗକୁ ଟପିଲା ଓଡ଼ିଶା, ଇଏସି-ପିଏମ୍ ପେପରରେ ରାଜ୍ୟକୁ ପ୍ରଶଂସା

Published By : Prameya-News7 Bureau | September 19, 2024 IST

ଭୁବନେଶ୍ୱର: ମୁଣ୍ଡ ପିଛା ଆୟରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି । ପଶ୍ଚିମବଙ୍ଗକୁ ପଛରେ ପକାଇ ଦେଇଛି ରାଜ୍ୟ । ଏହି ଅଗ୍ରଗତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ବା ଇଏସି-ପିଏମ୍‌ ପକ୍ଷରୁ ପ୍ରସ୍ତୁତ ପେପର୍‌ରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି ।  

ଇଏସି-ପିଏମ୍‌ ସଦସ୍ୟ ସଞ୍ଜୀବ ସାନ୍ୟାଲ ଏବଂ ଯୁଗ୍ମ ନିର୍ଦ୍ଦେଶକ ଆକାଂକ୍ଷା ଆରୋରାଙ୍କ ଦ୍ୱାରା ପ୍ରସ୍ତୁତ ଏହି ପେପର୍‌ ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% ଛୁଇଁଛି, ଯାହାକି ୧୯୯୦-୯୧ରେ ମାତ୍ର ୫୪.୩% ଥିଲା। ୧୯୬୦ରେ ଏହା ୭୦.୯% ଥିବାବେଳେ ଏଥିରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ରାଜ୍ୟର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଯୋଗୁ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛି ଓଡ଼ିଶା । 

ବର୍ତ୍ତମାନ ଭାରତର ମୁଣ୍ଡ ପିଛା ଆୟ ୧.୮୪ ଲକ୍ଷ ଥିବାବେଳେ ଓଡ଼ିଶାର ରହିଛି ୧.୬୧ ଲକ୍ଷ ଟଙ୍କା । ଗତ ଦୁଇ ଦଶନ୍ଧିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ରାଜ୍ୟ । ଯଦିଓ ଜାତୀୟ ହାରାହାରିଠାରୁ କମ୍‌ ରହିଛି ତଥାପି ୮୮.୫%କୁ ବୃଦ୍ଧି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି । 

୧୯୬୦-୬୧ରେ ପଶ୍ଚିମବଙ୍ଗର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୧୨୭.୫%  ଥିଲା, ଯାହା ୨୦୨୩-୨୪ରେ ୮୩.୭%କୁ ହ୍ରାସ ପାଇଛି । ବିହାର ସମେତ ଅନ୍ୟାନ୍ୟ ପୂର୍ବାଞ୍ଚଳ   ରାଜ୍ୟଗୁଡ଼ିକର ଅର୍ଥନୈତିକ ପ୍ରଦର୍ଶନକୁ ନେଇ   ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି । ଜାତୀୟ   ହାରାହାରିର ୩୨.୮% ମୁଣ୍ଡ ପିଛା ଆୟ ସହିତ ବିହାର ସବୁଠାରୁ ଗରିବ ରାଜ୍ୟ ରହିଛି ।  ଯଥାକ୍ରମେ ୫୭.୨% ଏବଂ ୭୩.୭% ମୁଣ୍ଡ  ପିଛା ଆୟ ସହିତ ଏହା ପଛକୁ ଝାଡ଼ଖଣ୍ଡ  ଏବଂ ଆସାମ ରହିଛନ୍ତି । ଜାତୀୟ ହାରାହାରିର ୨୫୦.୮% ମୁଣ୍ଡ ପିଛା ଆୟ ସହିତ ଦିଲ୍ଲୀ ସବୁଠାରୁ ଧନୀ ରାଜ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହା ପଛକୁ ୧୯୩.୬% ସହିତ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ,  ୧୮୦.୭% ସହିତ କର୍ଣ୍ଣାଟକ ତୃତୀୟ ସ୍ଥାନରେ,   ୧୭୬.୮% ସହିତ ହରିୟାଣା ଚତୁର୍ଥ ସ୍ଥାନରେ ଏବଂ ୧୭୧.୭% ସହିତ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛି ।


ଓଡ଼ିଶାର ମୁଣ୍ଡପିଛା ଆୟ ବୃଦ୍ଧି ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ନବୀନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି, ଆମର ସମାବେଶୀ ନୀତି ଏବଂ ଦୂରଦର୍ଶୀ  ଅର୍ଥନୈତିକ ପରିଚାଳନା ଯୋଗୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% କୁ ବୃଦ୍ଧି ପାଇଛି, ଯାହାକି ୨୦୦୦-୦୧ରେ  ୫୫.୮% ଥିଲା । ଏହି ଦୁଇ ଦଶନ୍ଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ରାଜ୍ୟର  ଯୋଗଦାନ ୨.୩%ରୁ ବଢ଼ି ୨.୮% ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.