କେଉଁ ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ? ଜାଣନ୍ତୁ ହେନଲେ ଆଣ୍ଡ ପାର୍ଟନର୍ସ Rankingରେ ଭାରତର ସ୍ଥାନ କେଉଁଠି?

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ ୯।୧: ବର୍ଷ ୨୦୨୫ର ପ୍ରଥମ ୬ ମାସ ଲାଗି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଙ୍ଗ ଜାରି ହୋଇଛି। ଏହି ରାଙ୍କିଙ୍ଗକୁ ପ୍ରତିଷ୍ଠିତ ସଂସ୍ଥା ହେନଲେ ଆଣ୍ଡ ପାର୍ଟନର୍ସ ପ୍ରକାଶ କରିଛନ୍ତି। ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁସାରେ ସିଙ୍ଗାପୁର ପାସପୋର୍ଟ ବିଶ୍ୱର ସବୁଠୁ ପ୍ରଭାବଶାଳୀ ପାସପୋର୍ଟ ବୋଲି ଜଣାପଡିଛି। ଏହି ପାସପୋର୍ଟରେ ଲୋକେ ବିଶ୍ୱର ୧୯୫ଟି ଦେଶକୁ ଭିସା ଫ୍ରି ଯାତ୍ରା କରିପାରିବେ। ତେବେ ଏହି ଇଣ୍ଡେକ୍ସରେ ଭାରତ ଓ ପାକିସ୍ତାନକୁ କେଉଁ ସ୍ଥାନ ମିଳିଛି ଆସନ୍ତୁ ଜାଣିବା। 

ସିଙ୍ଗାପୁର ପରେ ଜାପାନର ପାସପୋର୍ଟ ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟର ମାନ୍ୟତା ମିଳିଛି। ଜାପାନୀ ପାସପୋର୍ଟ ବଳରେ ଲୋକେ ୧୯୩ଟି ଦେଶକୁ ଭିସା ଫ୍ରି ଯାତ୍ରା କରିପାରିବେ। ଜାପାନ ପରେ ଦକ୍ଷିଣକୋରିଆ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ ଓ ଫିନଲ୍ୟାଣ୍ଡ ମିଳିତ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦେଶମାନଙ୍କ ପାସପାର୍ଟରେ ୧୯୨ ଦେଶକୁ ଭିସା ଫ୍ରି ଯାତ୍ରା ଅନୁମତି ମିଳୁଛି। ସେହିପରି ଅଷ୍ଟ୍ରିୟା, ଆୟରଲ୍ୟାଣ୍ଡ, ଡେନମାର୍କ, ଲକଜମବର୍ଗ ଓ ନେଦରଲ୍ୟାଣ୍ଡ ର ପାସପୋର୍ଟ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ପାସପୋର୍ଟରେ ପରିଣତ ହୋଇଛନ୍ତି। ଏହି ଦେଶମାନଙ୍କ ପାସପୋର୍ଟରେ ୧୯୧ ଦେଶକୁ ଭିସା ଫ୍ରି ଏଣ୍ଟ୍ରିମିଳିପାରୁଛି। 

ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ୱିଜରଲ୍ୟାଣ୍ଡ, ବ୍ରିଟେନ ଓ ବେଲଜିୟମଙ୍କ ପାସପୋର୍ଟ ବିଶ୍ୱର ପଞ୍ଚମ ଶକ୍ତିଶାଳୀ ପାସପୋର୍ଟ। ଏହି ଦେଶମାନଙ୍କ ପାସପୋର୍ଟରେ ୧୯୦ଟି ଦେଶକୁ ଭିସାମୁକ୍ତ ଏଣ୍ଟ୍ରି ମିଳୁଛି। ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ଦେଶଙ୍କ ସୂଚୀରେ ଭାରତର ପଡୋଶୀ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଦୟନିୟ। ୩୩ ଦେଶଙ୍କ ଫ୍ରି ଭିସା ଏଣ୍ଟ୍ରି ସହିତ ପାକିସ୍ତାନ ପାସପୋର୍ଟ ୧୦୩ ନମ୍ବର ସ୍ଥାନରେ ରହିଛି। ଏଥିରେ ଆଫ୍ରକୀୟ ଦେଶ ସୋମାଲିଆ, ପାଲେଷ୍ଟାଇନ, ନେପାଳ ଓ ବାଂଲାଦେଶର ରାଙ୍କିଙ୍ଗ ପାକିସ୍ତାନଠୁ ଉପରେ ୧୦୨ ନମ୍ବର ସ୍ଥାନରେ ରହିଛି। 

ବିଶ୍ୱର ଶକ୍ତିଶାଳୀ ପାସପୋର୍ଟ ରାଙ୍କିଙ୍ଗରେ ଭାରତ ୮୫ତମ ସ୍ଥାନରେ ରହିଛି। ଭାରତୀୟ ପାସପୋର୍ଟରେ ବିଶ୍ୱର ୫୭ଟି ଦେଶକୁ ଭିସା ଫ୍ରି ଯାତ୍ରା କରିହେଉଛି। ତେବେ ଗତବର୍ଷ ତୁଳନାରେ ଭାରତ ରାଙ୍କିଙ୍ଗରେ ୫ଟି ସ୍ଥାନ ପଛକୁ ହଟିଛି। ତେବେ ପାକିସ୍ତାନ ଠାରୁ ଭାରତର ପରିସ୍ଥିତି ପାସପୋର୍ଟ ରାଙ୍କିଙ୍ଗରେ ବେଶ୍ ଉନ୍ନତ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.